ଗଦି ସିଲେଇ କରି ପରିବାର ପ୍ରତିପୋଷଣ କରୁଛନ୍ତି ଚଣ୍ଡିମଲ ପାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରା, ବର୍ଷା, ଶୀତ କାହାକୁ ଖାତିର ନ କରି ଘରକୁ ଘର ବୁଲି ଦୀର୍ଘ ୨୫ ବର୍ଷ ହେବ ଗଦି ସିଲେଇ କରି ପରିବାର ପ୍ରତିପୋଷଣ କରୁଛନ୍ତି ବଲାଙ୍ଗିର ସହର ଲାଲଟିକ୍ରାରେ ରହୁଥିବା ଚଣ୍ଡିମଲ ପାଲ(୫୪) । ସୂଚନା ଅନୁସାରେ ରୋଜଗାର କରିବା ଆଶାରେ ସୁଦୂର କଳାହାଣ୍ଡି ଜିଲ୍ଲାରୁ ବଲାଙ୍ଗିର ସହରକୁ ଚାଲି ଆସି ଭଡା ଘରେ ରହି ଗଦି ସିଲେଇ କରି ଦୁଇ ପଇସା ରୋଜଗାର କରୁଛନ୍ତି ଚଣ୍ଡିମଲ । ଚଣ୍ଡିମଲ ଗୋଟିଏ ଦିନରେ ୩ ରୁ ୪ଟି ଗଦି ସିଲେଇ କରି ପାରୁଥିବା ବେଳେ ତାଙ୍କର ଭଲ କାମ ଯୋଗୁଁ ସେ ଆଜି ଘରେ ଘରେ ପରିଚିତ ହୋଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ସେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଏକ କପା ବେପାରୀଙ୍କ ଠୁ ତୁଳା ଆଣି ଗଦି ସିଲେଇ କରିଥା’ନ୍ତି । ଚଣ୍ଡିମଲ ଗଦି ସିଲେଇ କରି ମାସକୁ ୧୫ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ତାଙ୍କ ପରିବାରର ଭରଣ ପୋଷଣ କରୁଥିବା ବେଳେ ଏବେ ସାରା ଜିଲ୍ଲାର ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ଯୁଗରେ ଲୋକେ ତୁଳାରେ ତିଆରି ଗଦି ଅପେକ୍ଷା ରେଡିମେଡ୍ ଗଦି ପସନ୍ଦ କରୁଛନ୍ତି । ଯେଉଁଥିରେ ତୁଳା ବଦଳରେ ଥର୍ମୋକୋଲର ବ୍ୟବହାର ହୋଇଥାଏ । ସେଥିପାଇଁ ମୋ’ ବେପାର ଦିନକୁ ଦିନ କମିବାରେ ଲାଗିଛି ବୋଲି ଚଣ୍ଡିମଲ ନିଜ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.