ବେଆଇନ ଭାବେ ପ୍ରଶାସନର ଅନୁମତି ନ ନେଇ ମନଇଚ୍ଛା ଗଛ କଟା : ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇବା ଉଚିତ୍‌

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାସ୍ତା ଓ କୋଠାବାଡ଼ି ବିଭାଗ ଅଧୀନରେ ଯେତେ କାମ ସବୁ ହେଉଛି, ଠିକାଦାରମାନେ ବିଭିନ୍ନ ବର୍ଗର ନିର୍ମାଣ କାର୍ଯ୍ୟ ବେଳକୁ ନିଜ ଇଚ୍ଛା ଅନୁସାରେ ପ୍ରଶାସନକୁ ନ ପଚାରି ପ୍ରଥମେ ଗଛ କାଟି, ସୂତା ପକାଇ କାମ ଆରମ୍ଭ କରିଥାନ୍ତି । ପ୍ରଥମତଃ ଗଛ କାଟିବା ନିୟମ ଉପରେ ସେମାନେ ଆଉ ବିଭିନ୍ନ ବିଭାଗର ଯନ୍ତ୍ରୀମାନେ କୌଣସି ମତେ ଧାରଣା ଦେଉନାହାନ୍ତି । ସେମାନଙ୍କର ଗଛର ଉପକାରୀତା ଉପରେ ନଜିର ନଥାଏ । ଯାହା ଫଳରେ କି ଜଙ୍ଗଲ ବିଭାଗ ଅବଗତ ନଥାଇ ମନ ଇଚ୍ଛା ଗଛ କଟାଯାଉଛି । ଗଛର ସୁରକ୍ଷା ସହିତ ନିର୍ମାଣ କାର୍ଯ୍ୟ, ସୌନ୍ଦର୍ଯ୍ୟକରଣ ଆଦି ହେବା କଥା, ସେ ଦିଗରେ ଠିକାଦାରମାନଙ୍କୁ ଅବଗତ କରାଇବା ଉଚିତ । ରାସ୍ତା କଡରେ ଯେତେ ଗଛ ରହିଛି, ତାହାର ସୁରକ୍ଷା ସହ ନିର୍ମାଣ କାର୍ଯ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଏଦିଗରେ ବିଶେଷ ଧ୍ୟାନ ଦେଇ ଜିଲ୍ଲା ପ୍ରଶାସନ ଗଛକଟା ଉପରେ ଅଙ୍କୁଶ ଲଗାଇବା ଉଚିତ । ଏତଦ୍‌ ଭିନ୍ନ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଏବଂ ଜୋରିମାନା କରିବା ଆବଶ୍ୟକତା ରହିଛି ବୋଲି ବିଭିନ୍ନ ବିଶେଷଜ୍ଞ ମାନେ ମତ ଦିଅନ୍ତି । ସରକାରଙ୍କ ପକ୍ଷରୁ ଗଛ ଲଗାଇବା, ସବୁଜ ବନାନୀ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ପୁରୁଣା ଗଛର ସୁରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ମନେ କରୁନାହାନ୍ତି । ଏଭଳି ଅନେକ ଘଟଣା ଆମ ସାମ୍ନାକୁ ଆସେ । ଏପରିକି ପ୍ରଶାସନ ଏବଂ କାହାର ଦୃଷ୍ଟିଗୋଚର ନହୋଇ ମଧ୍ୟ ଗଛ କଟା ହୋଇ ଆମ ପରିବେଶକୁ ପ୍ରଦୂଷିତ କରାଯାଉଛି । ଏଭଳି ଏକ ଘଟଣା ଆମ ସାମ୍ନାକୁ ଗୁରୁବାର ପୂର୍ବାହ୍ନ ୧୦ଘଣ୍ଟା ବେଳକୁ ନଜରକୁ ଆସିଥିଲା ଯେ, ଜଣେ ଗଛ କାଟୁଛି, ତାହା ସେହି ଅଫିସ କୋଠାର ହତା ନିର୍ମାଣ ଲାଗି କାଟୁଥିବା ବେଳେ ତାହାକୁ ପ୍ରତିହତ କରାଗଲେ ସୁଦ୍ଧା ସେଥିରୁ ଏକ ବଡ଼ ଧରଣର ମୂଲ୍ୟବାନ ଶାଳ କାଠ ସଦୃଶ ଏକ ଡିଜାଇନିଂଫୁଲ ହେଉଥିବା ଗଛର ବଡ଼ଶାଖା ଆଖିଆଗରେ ହାଣି ଦିଆଯାଇଥିଲା । ଘଟଣା ସମ୍ପର୍କରେ ସମ୍ପୃକ୍ତ ଠିକାଦାର, ରାସ୍ତା ଓ କୋଠାବାଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀକୁ କୁହାଯାଇଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳ, ଜିଲ୍ଲା ଜଙ୍ଗଲ ବିଭାଗ, ଛତ୍ରପୁର ଥାନା, ଛତ୍ରପୁର ଏନ.ଏ.ସି ନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ଅବଗତ କରାଯାଇଛି । ପ୍ରକାଶ ଥାଉକି, ସହକାରୀ ମୂର୍ତ୍ତିକା ସଂରକ୍ଷଣ ବିଭାଗ ତଥା ଅଧୂନା ଜିଲ୍ଲା ଶିଶୁ ସୁରକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ହତା ନିର୍ମାଣ ନିମନ୍ତେ ଏହି ସ୍ଥାନର ଏକ ବିରାଟ ଗଛଶାଖାକୁ ହାଣି ଦିଆଯାଇଥିଲା । ଗଛର ସୁରକ୍ଷା ପ୍ରତି ଦୃଷ୍ଟିରେ ରଖିକାର୍ଯ୍ୟ କରାଯାଇ ପାରିଥାନ୍ତା । ପ୍ରଶାସନ ତରଫରୁ ଯଦି ଏଭଳି ଅବହେଳା ପ୍ରଦର୍ଶନ କଲେ ଛତ୍ରପୁର ସହରରେ ଲାଗିଥିବା ବହୁତ ଗଛ ନଷ୍ଟ ହୋଇଯିବ, ଲୋକେ ଅମ୍ଳଜାନ ମୁକ୍ତ ବାୟୁ ପାଇବେନି । ତେଣୁ ଘଟିଥିବା ଘଟଣାରେ ଉଚ୍ଚକର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏଦିଗରେ ଧ୍ୟାନ ଦେଇ ପ୍ରକୃତ ଦୋଷୀପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଅଛି ।

Leave A Reply

Your email address will not be published.