“ସୁବର୍ଣ୍ଣରେଖା” ଓ “ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ” ଆନୁକୁଲ୍ୟରେ “ଫକୀରମୋହନ ଜୟନ୍ତୀ ଓ ୨୭ତମ ବାର୍ଷିକ ଉତ୍ସବ” ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ “ବ୍ୟାସ ଭବନ” ପରିସରରେ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା ଫକୀରମୋହନଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ଓ ନନ୍ଦିନୀ ମହିଳା ସଂଘତି ସଦସ୍ୟା ମାନଙ୍କ ଉପସ୍ଥିତିରେ ଅତିଥିମାନେ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ୟୁଜିଆଇଇର ଅଧ୍ୟକ୍ଷା ପ୍ରଗତି ଦାସ ଉଦ୍ଘାଟିକା ଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଅନୁଷ୍ଠାନିକ ଭାବେ ଉତ୍ସବର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନ ଓଡ଼ିଆ ସଂସ୍କୃତି ଓ ପରମ୍ପରା ପାଳନ ସହ ମହିଳା ସଂଘତି ଗଠନ କରି ସେ ସବୁକୁ ସୂଚାରୁ ରୂପେ ସମ୍ପାଦିତ କରୁଥିବାରୁ ପ୍ରଶଂସାର ପାତ୍ର ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । ଗୁରୁ ଗୌରାଙ୍ଗ ମଲ୍ଲିକ ଓ ସାଥି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସଭାପତି ମନୋରଞ୍ଜନ ଦାସ ଅନୁଷ୍ଠାନର ପ୍ରତିଷ୍ଠା, ଜମି ଅଧିଗ୍ରହଣ, ସଭ୍ୟ ସଂଗ୍ରହ ଅଭିଯାନ ବିଷୟରେ ନିଜ ସ୍ୱାଗତ ଭାଷଣରେ କହିଥିଲେ । ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ସଦସ୍ୟ ସଦସ୍ୟାଙ୍କ ସହଯୋଗ ଓ ଅନୁଷ୍ଠାନ ନେଉଥିବା ଜନହିତକର କାର୍ଯ୍ୟ ଉପରେ ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ନିଜ ବକ୍ତବ୍ୟରେ ସୁବର୍ଣ୍ଣରେଖା ଏକ “ଉତ୍ତମ ସମନ୍ୱୟ ଓ ସାମାଜିକ ତଥା ସାଂସ୍କୃତିକ ଦିଗରେ ଏକ ଉତ୍କୃଷ୍ଟ ଅନୁଷ୍ଠାନ” ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଅନୁଷ୍ଠାନ ତରଫରୁ ବିଭିନ୍ନ ଜନହିତକର କାର୍ଯ୍ୟ ଓ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶରେ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଡଃ. ଅରବିନ୍ଦ ଗିରି ଫକୀରମୋହନ ସାହିତ୍ୟ ଉପରେ ନିଜର ସାରଗର୍ଭକ ବ୍ୟାଖ୍ୟାନ ରଖିଥିଲେ । ସୁବର୍ଣ୍ଣରେଖା ନଦୀର ବନ୍ୟା ଯାହା ନେଇଯାଏ ତା’ର ବହୁ ଗୁଣା ସମ୍ପଦା ପରୋକ୍ଷରେ ଫେରାଇ ଥାଏ । ରେବତୀ, ଛ’ମାଣ ଆଠ ଗୁଣ୍ଠ, ପେଟେଣ୍ଟ ମେଡିସିନ ଭଳି ଗଳ୍ପ, ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ରଚନା । ଏଥିପାଇଁ ସେ କାଳଜୟୀ ଲେଖକ ଭାବେ ପରିଚିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସ୍ମରଣିକାର ମୁଖ୍ୟ ସମ୍ପାଦକ ଆଇନଜୀବୀ ପ୍ରଦୀପ କୁମାର ନାୟକଙ୍କ ସହଯୋଗରେ ଅତିଥିମାନେ ସ୍ମରଣିକା ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ଆଇନଜୀବୀ କଲ୍ୟାଣ କମଳ ପଣ୍ଡା, ଡାକ୍ତର ନିରଜକାନ୍ତ ବେହେରା ଓ ଡଃ. ଅରବିନ୍ଦ ଗିରିଙ୍କୁ ସମ୍ମାନଜନକ ସୁବର୍ଣ୍ଣ ରେଖା ସମ୍ମାନ ଓ ଭଗବାନ ମହାରଣାଙ୍କୁ ସୁବର୍ଣ୍ଣରେଖା ସହଯୋଗୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସୁବ୍ରତ କୁମାର ଜେନା ମଞ୍ଚ ସଂଯୋଜନା ଓ ଡାକ୍ତର ସାନ୍ତ୍ଵନା ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଇନଜୀବୀ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମହେନ୍ଦ୍ର କୁମାର ମହାଳିକଙ୍କ ରଚନା ଓ ନିର୍ଦ୍ଦେଶନାରେ ନାଟକ “ରେବତୀ ଲେଖୁଛି ଲୁହରେ ଚିଠି” ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ଅଜିତ ମହାପାତ୍ର, ବନବିହାରୀ ରଣା, ମହେନ୍ଦ୍ର ମହାଳିକ, କମଳାକାନ୍ତ ପ୍ରଧାନ, ରାଜୀବ ପାତ୍ର, ବାଲୁ କିଶୋର ପାତ୍ର, ପ୍ରଫୁଲ୍ଲ ସାହୁ, ରବିନ୍ଦ୍ର ଜେନା, କରୁଣାକର ସାହୁ, ମଧୁସୂଦନ ବେଜ, ଅରକ୍ଷିତ ଆଦକ, ପରମେଶ୍ୱର ମହାରଣା, ତୁଷାର ମହାପାତ୍ର, ଦେବବ୍ରତ ପାତ୍ର, ଗଗନ ପ୍ରଧାନ, ରାଧାକୃଷ୍ଣ ଦଳପତି, ବିଜୟ ପ୍ରଧାନ, ଶ୍ରୀକାନ୍ତ ଦାସ, ଆନନ୍ଦ ଗିରି, ରଜନୀ ଘୋଷ, କ୍ଷୀତିଶ ପ୍ରଧାନ, ଚିତ୍ତରଞ୍ଜନ ବାରିକ, କମଳ ଲୋଚନ ଗାରୁ, ବିକାଶ ସାହାଣୀ, ସଲିଲ ଦାସ, ସୁବଳ ମାଝୀ, ବରୁଣ ମାଝୀ, ଦୀପକ ପାଲ, କରୁଣାକର ବାରିକ, କନକଲତା ଜେନା, ଦେବଯାନୀ ଘୋଷ, ଛବିରାଣୀ ପ୍ରଧାନ, ତପୋଇ ମାଝୀ, ଦମୟନ୍ତୀ ବେହେରା, ବନଜା ଦାସ, ସୁଷମା ସାହୁ, ଭାଗ୍ୟଲକ୍ଷ୍ମୀ ପାତ୍ର, ଶେଫାଳୀ ପାତ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କ ସହଯୋଗରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା ।