ତୁଷୁରା, (କେପିଏନ୍ଏସ୍) : ପଞ୍ଚମ ତୋଷାଳୀ ମହୋତ୍ସବ ଉପଲକ୍ଷେ ନିଷାନ ସାହିତ୍ୟ, କଳା ଓ ସଂସ୍କୃତି ଏକାଡେମୀ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବହୁଭାଷୀ କବିତା ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ବିଶିଷ୍ଟ ଶିକ୍ଷାବିତ ସଚ୍ଚିଦାନନ୍ଦ ପଟ୍ଟନାୟକ ଉଦ୍ଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ନିଷାନର ପ୍ରତିଷ୍ଠାତା ସମ୍ପାଦକ ଡ. ହେମନ୍ତ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ କଣ୍ଡୁରୀ ଚରଣ ରାଉତ, ବିଦେଶୀ ନାୟକ ଯୋଗଦେଇ ତୁଷୁରାର ଐତିହାସିକ ମାଟିର ବାସ୍ନା ସବୁଠୁ ନିଆରା ଓ ଆକର୍ଷଣୀୟ ବୋଲି କହିଥିଲେ । ବ୍ୟଙ୍ଗ କବି ମୁନିରାମ କୁମ୍ଭାର ଓ ବ୍ୟଙ୍ଗ କୁଇନ୍ ଅନୁପ୍ରିୟା ମିଶ୍ର ଯୋଗ ଦେଇ ବ୍ୟଙ୍ଗ କବିତା ଶୁଣାଇ ଉପସ୍ଥିତ ଦର୍ଶକଙ୍କ ମନ ମୋହି ନେଇଥିଲେ । ଡ. ସବିତା ମହରା ମଞ୍ଚ ସଞ୍ଚାଳନ କରିଥିଲେ । କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଓ ବବିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଅଧିବେଶନରେ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଯୋଗ ଦେଇ ନିଷାନ ସାହିତ୍ୟ ସଂସଦ ସାହିତ୍ୟ ଜଗତର ଏକ ଆଲୋକ ବର୍ତ୍ତିକା ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ତୁଷୁରା ନଗରପାଳ ଅଜୟ ଜୟଶ୍ୱାଲ ଯୋଗଦେଇ ଚଳିତ ବର୍ଷର ସ୍ୱର୍ଗତ ରମେଶ ପ୍ରଧାନ ସ୍ମୃତି ସମ୍ମାନ ବିଶିଷ୍ଟ କୋଶଳି ଗବେଷକ ସୁଶୀଳ କୁମାର ଗୁରୁଙ୍କୁ ପ୍ରଦାନ କରିଥିଲେ ଓ ନିଜେ ମଧ୍ୟ ଏକ କବିତା ଆବୃତ୍ତି କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ସୁଶାନ୍ତ ବାଗ, ଉପଦେଷ୍ଟା ମଧୁସୂଦନ ଦାଶ, ତୋଷାଳୀ ମହୋତ୍ସବ ଉପଦେଷ୍ଟା କିମିଟ ସଭାପତି ସୁରେଶ ଚନ୍ଦ୍ର ସାହୁ ଓ ବିଶିଷ୍ଟ ସମାଜସେବୀ ପିଙ୍କୁ ଅଗ୍ରୱାଲ ଯୋଗ ଦେଇଥିଲେ । ଏଥିରେ ଝାରସୁଗୁଡ଼ା, ବରଗଡ, ସୁବର୍ଣ୍ଣପୁର, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଶତାଧିକ କବି କବୟିତ୍ରୀ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଡ. ଦାଶ ଦ୍ୱିତୀୟ ଅଧିବେଶନର ସମ୍ବର୍ଦ୍ଧନା ପର୍ବରେ ମଞ୍ଚ ସଞ୍ଚାଳନ କରିଥିଲେ ।