ଓଡ଼ିଶା ଓମେନ୍ସ ଫୁଟ୍‌ବଲ ଲିଗ୍‌-୨୦୨୨ ପାଇଁ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଓମେନ୍ସ ଫୁଟ୍‌ବଲ ଲିଗ୍‌-୨୦୨୨ ପାଇଁ ଶନିବାର ଜର୍ସି ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଫାଓ (ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା) ସମ୍ପାଦକ ଆଶୀର୍ବାଦ ବେହେରା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ୬ଟି ଦଳର ଜର୍ସି ଉନ୍ମୋଚନ କରିଥିଲେ । ଏହି ଅବସରରେ ଫାଓ କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଉପସଭାପତି ଦିଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଭିଜିତ୍‌ ପାଲ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଓଏସ୍‌ଡି ଶୁଭେନ୍ଦୁ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ସମସ୍ତ ଅଂଶଗ୍ରହଣକାରୀ ଦଳର କୋଚ୍‌, ଅଧିନାୟକ ଏବଂ ମ୍ୟାନେଜର ସାମିଲ ଥିଲେ । ଓଡ଼ିଶା ଓମେନ୍ସ ଲିଗ୍‌ ଶୁକ୍ରବାରଠାରୁ ଆରମ୍ଭ ହେବ । ଏହା ଡବଲ ଲେଗ୍‌ ଫର୍ମାଟରେ ଖେଳାଯିବ । ଏଥିରେ ଭାଗ ନେଉଥିବା ୬ଟି ଦଳ ହେଲେ ସ୍ପୋଟର୍‌ସ ଓଡ଼ିଶା, ଓଡ଼ିଶା ପୋଲିସ, ଓଡ଼ିଶା ଏଫ୍‌ସି, ଇଷ୍ଟକୋଷ୍ଟ ରେଲଓ୍ବେ, ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ଏବଂ ଓଜିପି କ୍ଲବ । ଓଡ଼ିଶା ଓମେନ୍ସ ଲିଗ୍‌ର ଚାମ୍ପିୟନ ଦଳ ପରେ ଏଆଇଏଫ୍‌ଏଫ୍‌ (ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ) ଦ୍ୱାରା ଆୟୋଜିତ ହେବାକୁ ଥିବା ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ ।

Leave A Reply

Your email address will not be published.