ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଙ୍ଗଳବାର ଦିନ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ବିଧିବଦ୍ଧ ଭାବେ ଏହି ପ୍ରତିଯୋଗିତାକୁ ଉଦ୍ଘାଟିତ କରିଥିଲେ । ସେହିପରି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ତଥା ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାର ପ୍ରଥମ ଦିନରେ ଦୁଇ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ କୁଚିଣ୍ଡା ଏଫ୍ସି ଓ ବଲାଙ୍ଗିର ମହାରାଜା -୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କୁଚିଣ୍ଡା ଦଳ ୨-୧ ଗୋଲ ବ୍ୟବଧାନରେ ବିଜୟୀ ହୋଇଛି । ଏହି ଖେଳକୁ ଦେବାଶିଷ ବାଗ, ସୁଦର୍ଶନ ସେଠ, ଶୁଶାନ୍ତ ନାଗ ଓ ଦୋଳ ଗୋବିନ୍ଦ ମୁଣ୍ଡା ପରିଚାଳନା କରିଥିଲେ । ଏହି ପ୍ରଥମ ଖେଳରେ କୁଚିଣ୍ଡା ଦଳର କରନ କୁଜୁର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ ଅର୍ଜନ କରି ୨ହଜାର ଟଙ୍କା ଅତିଥିଙ୍କ ଠାରୁ ପାଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚଟି ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ଓ ଅଲଣ୍ଡା ଏଫ୍ସି ରାଉଲକେଲା ମଧ୍ୟରେ ହୋଇଥିଲା । ରୋମାଞ୍ଚକର ଦେଢଘଣ୍ଟା ଖେଳ ପରେ ମଧ୍ୟ କେହି କାହାକୁ ଗୋଲ ଦେଇ ପାରିନଥିଲେ । ଫଳରେ ଟ୍ରାଇବ୍ରେକର ସଡନଡେଥରେ ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ଦଳ ବିଜୟୀ ହୋଇଥିଲେ । ଖେଳକୁ ଦୋଳ ଗୋବିନ୍ଦ ମୁଣ୍ଡା, ବିକି ବିଶି, ସଂଜନ କୁମାର କୁଦେଇ ଓ ନରସିଂସ୍ୱାମୀ ନାଇଡୁ ପରିଚାଳନା କରିଥିଲେ । ଦ୍ୱିତୀୟ ଖେଳରେ ଫୁଲବାଣୀ ଦଳର ଗୋଲ କିପର ରମେଶ ହମ୍ରମ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ମଂଚାସିନ ଅତିଥିମାନଙ୍କ ମଧ୍ୟରେ ଫାଓ ସଭାପତି ଡ. ଶ୍ରୀକର ମିଶ୍ର, କ୍ରୀଡା ସାଂସଦର ସାଧାରଣ ସଂପାଦକ ହରି ନାରାୟଣ ପୂଜାରୀ, ପ୍ରତିଯୋଗିତାର କାର୍ଯ୍ୟକାରୀ ସଭାପତି ବିଧୂଭୂଷଣ ସଭାପତି, ଉପ-ସଭାପତି ଶମ୍ଭୁ ପ୍ରସାଦ ନାଗ, ସଂପାଦକ ସାଗର ସଂଗମ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବଲାଙ୍ଗିର ବିଧାୟକ ତଥା ଜାତୀୟ ରାଇଫଲ ଏସୋସିଏସନର ସଭାପତି କଳିକେଶ ନାରାୟଣ ସିଂହ ଦେଓଙ୍କ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମ୍ୟାଚ କମିଶନର ଶରତ କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ ଖେଳ ପରିଚାଳନା ହୋଇଥିବା ବେଳେ ମଂଚ ସଂଚାଳନ କରିଥିଲେ ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା । ଫୁଟବଲ ଦେଖିବା ପାଇଁ ଫୁଟବଲ ପ୍ରେମୀଙ୍କ ଜୋରଦାର ଭିଡ ଦେଖିବାକୁ ମିଳିଥିଲା । ସେହି କ୍ରମରେ ବୁଧବାର ଦିନ ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ଓ କୁଚିଣ୍ଡା ଏଫ୍ସି ମଧ୍ୟରେ ପ୍ରଥମ ସେମିଫାଇନାଲ ହେବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।