
ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ଜାନୁୟାରୀ ୫ ତାରିଖରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଠାରେ ୩ୟ ବେଣୁଧର ମେମୋରିଆଲ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ଟି ଫୁଟବଳ ଦଳ ଯୋଗଦେବେ । ଆଜି ଏନେଇ ଆୟୋଜକ ସୁକାନ୍ତ ପାଣିଗ୍ରାହୀଙ୍କ ସମେତ କମିଟିର ସଦସ୍ୟମାନେ ସୂଚନା ଦେଇଛନ୍ତି । ବଲାଙ୍ଗିର ସାମ୍ବାଦିକ ଭବନଠାରେ ଆୟୋଜକ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ କମିଟିର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ କୁମାର ମେହେର, ମିଡିଆସେଲର ବିଧୁଭୂଷଣ ତ୍ରୀପାଠୀ ଟୁର୍ଣ୍ଣାମେଣ୍ଟ ବିଷୟରେ ସୂଚନା ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଚନ୍ଦନଭାଟି, ନକଟାସର(ଏଫ୍ଏ), ବିଏନ୍ଏଏ (ଜରାସିଂହା), ରାଇଜିଂ ଷ୍ଟାର ଟିଟିଲାଗଡ, ୟୁଥକ୍ଲବ ବଲାଙ୍ଗିର, ମର୍ଣ୍ଣିଂକ୍ଲବ ଭବାନୀପାଟଣା ଓ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିରଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲାପାଳ ଗୌରବ ଶୀବାଜୀ ଇସଲୱାର,ଏସ୍ପି ଋଷିକେଶ ଖିଲାରୀ, ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ, ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା ଓ ସ୍ଥାନୀୟ ଚନ୍ଦନଭାଟିର ସରପଞ୍ଚ ପଙ୍କଜୀନି ସାହୁ ପ୍ରମୁଖ ଯୋଗଦେବେ । ପ୍ରକାଶ ଯେ, ଚନ୍ଦନଭାଟି ଗ୍ରାମ ପଞ୍ଚାୟତର ୩ଥର ସରପଞ୍ଚ ଥିବା ସ୍ୱର୍ଗତ ସମାଜସେବୀ ବେଣୁଧର ପାଣିଗ୍ରାହୀଙ୍କ ସ୍ମୃତିରେ ତାଙ୍କପୁତ୍ର ତଥା ଗ୍ରାମବାସୀଙ୍କ ଉଦ୍ୟମରେ ଗତ ୩ବର୍ଷ ହେଲା ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଆସୁଛି । ସ୍ୱର୍ଗତ ବେଣୁଧର ପାଣିଗ୍ରାହୀ ନିଜେ ଜଣେ ସଫଳ ଫୁଟବଲ ଖେଳାଳୀ ଥିଲେ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସହିତ ସେ ଖେଳୁଥିଲେ । ସେ ସମୟରେ ପାଟଣା ଗଡଜାତ ରାଜ୍ୟର ଜଣେ ଆଗଧାଡିର ଫୁଟବଲ ଖେଳାଳିଥିଲେ । ତେଣୁ ତାଙ୍କ ସ୍ମୃତିରେ ତାଙ୍କ ପୁତ୍ର ପୂର୍ବତନ ଜାତୀୟ ଭଲିବଲ ଖେଳାଳୀ ସୁକାନ୍ତ ପାଣିଗ୍ରାହୀଙ୍କ ଉଦ୍ୟମରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ ଆୟୋଜକ କମିଟିର ସଭାପତି କପଳେଶ୍ୱର ପାଣିଗ୍ରାହୀ, ସଂପାଦକ ପ୍ରଭୁଦତ୍ତ ପ୍ରଧାନ, କୋଷାଧ୍ୟକ୍ଷ ଅଶୋକ ଦଳାଇ, ସଂଯୋଜକ ସୁକାନ୍ତ ପାଣିଗ୍ରାହୀ, ଲକ୍ଷ୍ମଣ କୁମାର ମେହେର, ବିଧୁଭୂଷଣ ତ୍ରୀପାଠୀ, କମଲ ଚୌଧୁରୀ, ବିଶ୍ୱମୟ ପୂଜାହାରୀ, ଦେବଦତ୍ତ ପ୍ରଧାନ, ଶାନ୍ତାନୁ ପୁରୋହିତ ପ୍ରମୁଖ ଉପସ୍ଥିତ ରହିଥିଲେ ।