ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଫିଜନ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ବାଇକ ଲୁଟି ନେଲେ ଦୁର୍ବୃତ୍ତ : ଫାଣ୍ଡିରେ ଏତଲା ଦାୟର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଝିଙ୍କିଡୁଙ୍ଗୁରି ନିକଟସ୍ଥ ଘାଟିଠାରେ ଫିଜନ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ଅଟକାଇ ଟଙ୍କା ଲୁଟ୍‌ ଉଦ୍ୟମ ବିଫଳ ହେବା ପରେ ଦୁର୍ବୃତ୍ତମାନେ ବାଇକ ଲୁଟ୍‌ କରି ଫେରାର ମାରିଥିବା ଟିକ୍ରାପଡା ଫାଣ୍ଡିରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ସିସି ଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ସଇଁତଲାଠାରେ ଥିବା ଫିଜନ ମାଇକ୍ରୋ ଫାଇନାନ୍ସର କର୍ମଚାରୀ ଫିରୋଜ କୁମାର ସାହୁ ଗତ ମଙ୍ଗଳବାର ଦିନ ଟିକ୍ରାପଡାକୁ ଦେଇଥିବା ଋଣ ଟଙ୍କା ସଂଗ୍ରହ କରିବା ପାଇଁ ଯାଇଥିଲେ । ସେଠାରେ ଟଙ୍କା ହିତାଧିକାରୀମାନେ ଟଙ୍କା ଦେବା ବିଳମ୍ୱ ହେବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକି ରହିଥିଲେ । ପରେ ୨୫ ହଜାର ଟଙ୍କା ସଂଗ୍ରହ କରି ଫିରୋଜ ନିଜ ବାଇକ ନଂ ଓଡି୧୭ ସି ୨୨୦୫ ଯୋଗେ ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ଫେରୁଥିବା ବେଳେ ଝିଙ୍କିଡୁଙ୍ଗୁରି ନିକଟସ୍ଥ ଘାଟିଠାରେ ଦୁର୍ବୃତ୍ତମାନେ ଚଳନ୍ତା ବାଇକରୁ ଫିରୋଜର ପିନ୍ଧିଥିବା ସାର୍ଟକୁ ଟାଣି ପକାଇବା ଫଳରେ ଦୁହେଁ ବାଇକରୁ ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତା’ପରେ ମଧ୍ୟ ଦୁର୍ବୁତ୍ତମାନେ ଦୌଡାଇବାରୁ ଫିରୋଜ ନିକଟସ୍ଥ ଜଙ୍ଗଲ ଭିତରୁ ପଶିଗଲେ । ଏହାପରେ ଦୁର୍ବୃତ୍ତ ଦୁହେଁ ଦୁର୍ଘଟଣାଗ୍ରସ୍ତ ଫିରୋଜଙ୍କ ବାଇକକୁ ଲୁଟ୍‌ କରି ଫେରାର ମାରିଥିଲେ । ପରେ ଫିରୋଜ ଅଫିସକୁ ଫୋନ କରିଥିବା ବେଳେ ଦୁଇ ଜଣ କର୍ମଚାରୀ ପହଂଚି ଫିରୋଜକୁ ଉଦ୍ଧାର କରିଥିଲେ । ଫିରୋଜଙ୍କ ହାତ, ଗୋଡ଼ରେ ଆଘାତ ଲାଗିଥିବା ଜଣାଯାଇଛି ।

Leave A Reply

Your email address will not be published.