
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କେ.ଆର୍ ଲାଇନରେ ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ । ଅଟକିଛି ଇଣ୍ଟରସିଟି ଏକ୍ସପ୍ରେସ ଓ ହିରାଖଣ୍ଡ ଏକ୍ସପ୍ରେସ । ୧୨ ଘଣ୍ଟାରେ ଏହି ରୁଟରେ ଦ୍ୱିତୀୟ ଘଟଣା । ରାୟଗଡା ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଇଞ୍ଜିନର ପେଣ୍ଟୋଗ୍ରାଫ କାଶୀପୁର ବ୍ଲକର ଲେଲିଗୁମ୍ମା ରାଉଳି ନିକଟରେ ଅଚଳ ହେବା ଯୋଗୁଁ କେ.ଆର୍ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଆଜି ଭୋରରୁ ଏପରି ହୋଇଥିବା ଜଣାପଡିଛି । ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ ଭୁବନେଶ୍ୱରରୁ ଜଗଦଲପୁର ଯାଉଥିବା ଲେଲିଗୁମା ଠାରେ ଅଟକି ରହିଥିବା ସୂଚନାରୁ ଜଣାପଡିଛି । ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ଠିକରେ କାର୍ଯ୍ୟ କରୁନଥିବାରୁ ସଠିକ ତଥ୍ୟ ମିଳିପାରିନାହିଁ । ୩ଘଣ୍ଟାରୁ ଅଧିକ ହେଲାଣି ଏହି ରୁଟ୍ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇପଡିଛି । ସକାଳୁ ସକାଳୁ ଏଭଳି ଘଟଣା ହୋଇଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ଟ୍ରେନ ଇଞ୍ଜିନକୁ ବିଦ୍ୟୁତ୍ ଯୋଗାଣ ନ ହେବା ଯୋଗୁଁ ଟ୍ରେନ ଆଗକୁ ଆଉ ଗଡି ପାରିନଥିଲା ବୋଲି ଜଣେ ରେଳବାଇ କର୍ମଚାରୀ ପ୍ରକାଶ କରିଛନ୍ତି । ବିଦ୍ୟୁତ ଲାଇନ ସହ ଟ୍ରେନକୁ ସଂଯୋଗ କରୁଥିବା ପେଣ୍ଟୋଗ୍ରଫ ଅଚଳ ହୋଇପଡିବା ଯୋଗୁଁ ଇଞ୍ଜିନ ଅଚଳ ହୋଇପଡ଼ିଥିବା ଜଣାପଡିଛି । ଓଭର ହେଡଡ ଇଲେକ୍ଟ୍ରିାଲ ଇକ୍ୟୁପମେଣ୍ଟ ଜରିଆରେ ବିଦ୍ୟୁତ୍ ଲାଇନରୁ ଟ୍ରେନ ଇଞ୍ଜିନକୁ ବିଦ୍ୟୁତ୍ ଯୋଗାଉଥିବା ପେଣ୍ଟୋଗ୍ରାଫ ଅଚଳ ହୋଇପଡିବାରୁ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯିବା ଫଳରେ ଏଭଳି ହୋଇଥିବା ରାୟଗଡା ଷ୍ଟେସନ ପ୍ରବନ୍ଧକ ପ୍ରକାଶ କରିଛନ୍ତି । ରେଳବାଇ ବିଭାଗର ଟେନିକାଲ ଟିମ ଘଟଣାସ୍ଥଳରେ ପହଁଚି ଏହାକୁ ମରାମତି କରୁଥିବା ସୂଚନାରୁ ଜଣାପଡିଛି । ଗତକାଲି ସନ୍ଧ୍ୟାରେ ଜୟପୁର କୋରାପୁଟ ରୁଟରେ ଥିବା ଜରଟି ନିକଟରେ ଏକ ମାଲବାହି ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇ ଟ୍ରେନ ଚଳାଚଳ ବିଳମ୍ବିତ ହୋଇଥିଲା । ୧୨ ଘଣ୍ଟା ମଧ୍ୟରେ ଏହି ରୁଟ୍ରେ ଦୁଇ ଦୁଇଟି ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବା ଘଟଣା ରେଳ ବିଭାଗକୁ ଚିନ୍ତାରେ ପକାଇବା ସହ ଯାତ୍ରୀମାନେ ଭୟଭିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଏହି ରୁଟ୍ରେ ପେଣ୍ଟୋଗ୍ରାଫ କାହିଁକି ଅଚଳ ହେଲା ସେନେଇ ବିଭାଗ ତରଫରୁ ତଦନ୍ତ ଚାଲିଛି ବୋଲି ରାୟଗଡା ଷ୍ଟେସନ ପ୍ରବନ୍ଧକ ପ୍ରକାଶ କରିଛନ୍ତି ।