ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଶିକ୍ଷା ବିଭାଗର ଅଜବ ନୀତି କେଉଁ ବିଦ୍ୟାଳୟରେ ଗୁଡ଼ାଏ ଛାତ୍ରଛାତ୍ରୀକୁ ଗୋଟିଏ ଶିକ୍ଷକ ତ କେଉଁଠି ଗୋଟିଏ ଛାତ୍ରକୁ ପାଠ ପଢ଼ାଉଛନ୍ତି ୨ଟି ଶିକ୍ଷକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତର କ୍ରୀଷ୍ଣାପାତ୍ରଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ପାଇଁ ପୁଳାପୁଳା ଅର୍ଥ ଖର୍ଚ୍ଚ କରାଯାଇ ଶିକ୍ଷାର ବିକାଶ କରାଯାଉଥିବା ବେଳେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଏହି ପଞ୍ଚାୟତର କ୍ରିଷ୍ଣାପାତ୍ରଗୁଡା ପ୍ରାଥମିକ ବିଦ୍ୟାଳୟରେ । ସୂଚନା ଗତ ଯେ, ଏହି ବିଦ୍ୟାଳୟର ସର୍ବ ପୁରାତନ ବିଦ୍ୟାଳୟ । ଏହି ବିଦ୍ୟାଳୟକୁ ୧୯୫୩ ମସିହାରେ ସ୍ଥାପନ କରାଯାଇଥିଲା । କିନ୍ତୁ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ପିଲା ସଂଖ୍ୟା ମାତ୍ର ଏକ । ଗ୍ରାମରେ ପ୍ରାୟ ୪୩ ପରିବାର ବସବାସ କରୁଛନ୍ତି । ଗ୍ରାମବାସୀ କହିବା ଅନୁଯାୟୀ ଏହି ବିଦ୍ୟାଳୟରେ ଭଲ ପାଠପଢା ହେଉ ନାହିଁ ତେଣୁ ଏହି ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ସେବାଶ୍ରମମାନଙ୍କରେ ପଢିବା ଶହ ରହିବା ଖାଇବା ସୁବିଧା ରହୁଥିବାରୁ ସେଠାରେ ଛାଡ଼ୁଛୁ ବୋଲି ପ୍ରକାଶ କରିଛନ୍ତି । ଏହି ବିଦ୍ୟାଳୟରେ ପାଠ ପଢୁଛନ୍ତି ତ୍ରିନାଥ ଭଟଦରା ସେ ତୃତୀୟ ଶ୍ରେଣୀ ପାଠ ପଢୁଥିଲେ ମଧ୍ୟ ଶିକ୍ଷକ ତାଙ୍କୁ ୨ ପଣିକିଆ ଶିଖାଇ ନଥିବାରୁ ଜାଣିନାହିଁ ବୋଲି ଆମ ପ୍ରତିନିଧିଙ୍କ ଠାରେ ଛାତ୍ର ପ୍ରକାଶ କରିଛନ୍ତି । ଅନ୍ୟପଟେ ଅଙ୍ଗନୱାଡି କେନ୍ଦ୍ରରେ ୧୩ଟି ବାଳକ ବାଳିକା ରହୁଛନ୍ତି । ୫ ବର୍ଷ ହେବା ପରେ ଅନ୍ୟ କୌଣସି ବିଦ୍ୟାଳୟରେ ଛାଡ଼ୁଛନ୍ତି । ଏହି ବିଦ୍ୟାଳୟ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନ ପଚାରିବାରୁ ସେ କହିଛନ୍ତି ଯେ, ଏହା ଆମ ନଜରରେ ଅଛି କିନ୍ତୁ ସେହି ବିଦ୍ୟାଳୟକୁ ବନ୍ଦ କରିହେବ ନାହିଁ । ଚେଷ୍ଟା କରୁଛି ଆମ ଉପର ଅଧିକାରୀଙ୍କୁ ପଚାରି ଶିକ୍ଷକଙ୍କୁ ଅଦଲ ବଦଳ କରିବୁ ବୋଲି ପ୍ରକାଶ କରିଛନ୍ତି ।