ବଲାଙ୍ଗିର ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷଣ ବିକାଶ ନିମନ୍ତେ ଡିଜିଟାଲ ଇ-କଣ୍ଟେଣ୍ଟର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ଠାରେ ଆଜି ଶିଶୁ ଦିବସ ପାଳନ ଅବସରରେ ଜିଲ୍ଲାର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷଣ ବିକାଶ ନିମନ୍ତେ ଡିଜିଟାଲ ଇ-କଣ୍ଟେଣ୍ଟର ଶୁଭାରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡିଜିଟାଲ ଇ-କଣ୍ଟେଣ୍ଟର ଶୁଭାରମ୍ଭ କରିଛନ୍ତି । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇ ଜିଲ୍ଲାର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ନିମନ୍ତେ ଏକ୍ସଟ୍ରା ମାର୍କ୍ସ ଏଜୁକେଶନ ପ୍ରାଇଭେଟ ଲିମିଟେଡ ଦ୍ଵାରା ପ୍ରସ୍ତୁତ ଡିଜିଟାଲ ଇ-କଣ୍ଟେଣ୍ଟ ବେଶ ସହାୟକ ହେବ ବୋଲି ପ୍ରକାଶ କରିବା ସହ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମକୁ ସହଜ ଭାବେ ବୁଝିପାରିବେ ବୋଲି କହିଥିଲେ । ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଡିଜିଟାଲ ଇ-କଣ୍ଟେଣ୍ଟ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରିବା ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପାଠପଢା ସହ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ପ୍ରାରମ୍ଭିକ ସୂଚନା ଦେଇ ଡିଜିଟାଲ ଇ-କଣ୍ଟେଣ୍ଟ ଛାତ୍ର ଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ନିମନ୍ତେ ଫଳପ୍ରଦ ହେବ ବୋଲି ପ୍ରକାଶ କରିଥିଲେ । ଏକ୍ସଟ୍ରା ମାର୍କ୍ସ ଏଜୁକେଶନ ପ୍ରାଇଭେଟ ଲିମିଟେଡର ଆଞ୍ଚଳିକ ମୁଖ୍ୟ ପିୟୁଷ ପ୍ରଶାନ୍ତ ଡିଜିଟାଲ ଇ-କଣ୍ଟେଣ୍ଟ ମାଧ୍ୟମରେ ଶିକ୍ଷାଦାନ କିପରି ଫଳପ୍ରଦ ହେବ ସେ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଜିଲ୍ଲାର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ଭାରପ୍ରାପ୍ତ ଅଧ୍ୟକ୍ଷ, ଏକ୍ସଟ୍ରା ମାର୍କ୍ସ ଏଜୁକେଶନ ପ୍ରାଇଭେଟ ଲିମିଟେଡର ଦିବ୍ୟକାନ୍ତ ପୃଷ୍ଟି, ନେହା ସାହୁଙ୍କ ସମେତ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.