ଟିଟିଲାଗଡ଼ ପୌରପରିଷଦ ତରଫରୁ ବାସସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ : ଆମ୍ବବନ୍ଧପଡ଼ା ବାସିନ୍ଦା ଗରିବ ସେନା ସଭାପତିଙ୍କ ସହ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୪ ଆମ୍ବବନ୍ଧପଡ଼ା ନିବାସୀଙ୍କୁ ଗତ ଏକ ବର୍ଷ ହେବ ବାସସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେମାନଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ଓଲ୍ଡ ଟ୍ୟାନେରୀ ପାଖରେ ସମସ୍ତଙ୍କୁ ଜାଗା ଚିହ୍ନଟ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ୱର୍କ ଅର୍ଡର ବି ଦିଆଯାଇଥିଲା । ତେବେ ଦିନେ ଦୁଇ ଦିନ ହେବ ଟିଟିଲାଗଡ଼ ପୌର ପରିଷଦ ତରଫରୁ ବାସସ୍ଥାନ ୨୪ ଘଣ୍ଟା ଭିତରେ ଖାଲି କରିବାକୁ ନିର୍ଦ୍ଦେଶ ଆସିବା ପରେ ହିତାଧିକାରୀ ଏବେ ଚିନ୍ତାରେ । ଗତକାଲି ଅପରାହ୍ନ ଗୋଟାଏ ସମୟରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗରିବସେନା ସଭାପତି ବିରେନ୍ଦ୍ର ବାଗଙ୍କୁ ଭେଟି ତାଙ୍କର ଅସୁବିଧା ଜଣାଇବା ପରେ ସେଠାରୁ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କୁ ଭେଟି ତାଙ୍କର ଅସୁବିଧା ବିଷୟରେ ଅବଗତ କରାଇଥିଲେ । ତେବେ ଉପଜିଲ୍ଲାପାଳ ଶ୍ରୀ ସାମନ୍ତରାୟ ସମସ୍ତଙ୍କ କଥା ଶୁଣି ଓଲ୍ଡ ଟ୍ୟାନେରୀ ବୁଲି ଦେଖିବାକୁ ପ୍ରତିଶ୍ରୁତି ଦେବା ସହ ଏନେଇ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ତେବେ ଓଲ୍ଡ ଟ୍ୟାନେରୀ ଠାରେ ନିର୍ମାଣଧିନ ଘର ସମ୍ପୂର୍ଣ୍ଣ ହୋଇ ନଥିବା, ପିଇବା ପାଣି, ଲାଇଟ ବ୍ୟବସ୍ଥା ଭଳି ସମସ୍ୟାର ସମାଧାନ ନ ହେଲା ଯାଏଁ କିପରି ରହିବୁ ବୋଲି ହିତାଧିକାରୀମାନେ ଅଭିଯୋଗ କରିଥିବା ବେଳେ ଆବାସ ନିର୍ମାଣ ଟଙ୍କା ମିଳିବାରେ ବିଳମ୍ବ ହେବା ତଥା ସମସ୍ତଙ୍କୁ ଆବାସ ନ ମିଳିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କଲେ ହିତାଧିକାରୀ ଉପକୃତ ହେବେ ବୋଲି ଗରିବସେନା ସଭାପତି ତଥା କଂଗ୍ରେସ ନେତା ବିରେନ୍ଦ୍ର ବାଗ ଦାବି କରିଛନ୍ତି ।