ବଲାଙ୍ଗିର, (କେପିଏନ୍ଏସ୍) : ଜମି ଆଡ଼ିର ଗଛ କାଟିଦେଲେ । ଥାନାରେ ଅଭିଯୋଗ କରିବା ସତ୍ୱେ କୌଣସି କାର୍ୟ୍ୟାନୁଷ୍ଠାନ ହେଲାନାହିଁ । ଏଣୁ ଜଣେ ଚାଷୀ ଆଜି ନ୍ୟାୟ ପାଇଁ ବଲାଙ୍ଗିର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ଅଭିଯୋଗକାରୀ ଚାଷୀ ହେଉଛନ୍ତି ପୁଇଁତଲା ଥାନା ଅନ୍ତର୍ଗତ ସୁନ୍ଦରିଭନା ଗାଁର କେଶବ ବନ୍ଛୋର୍ । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଜମି ଆଡ଼ିରେ ଥିବା ୧୦ ଫୁଟ୍ ଗୋଲେଇର ଏକ ବବୁଲ୍ ଗଛକୁ ତାଙ୍କ ଗାଁର ନାରାୟଣ ବନ୍ଛୋର୍ କାଟି ଦେଇଛନ୍ତି । ଏ ସଂପର୍କରେ ସେ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଫଇସଲା ନହେବା ପର୍ଯ୍ୟନ୍ତ କେହି କଟା ଗଛ ନେଇ ପାରିବେ ନାହିଁ ବୋଲି ଥାନା ପକ୍ଷରୁ କୁହାଯାଇଥିଲା । ତେବେ ଏହା ଭିତରେ ନାରାୟଣ ବନ୍ଛୋର୍ କଟା ଗଛକୁ ଉଠାଇ ନେବାକୁ ଉଦ୍ୟମ କରିଥିବା ବେଳେ ସେ ମନା କରିବାରୁ ତାଙ୍କୁ ଓ ତାଙ୍କ ପରିବାରବର୍ଗକୁ ଗାଳିଗୁଲଜ୍ କରିବା ସହ ଧମକ୍ ଚମକ୍ ଦେଇଥିଲେ । ପୁଣି ପୁଇଁତଲା ଥାନାକୁ ଆସି କେଶବ ଅଭିଯୋଗ କରିଥିଲେ ସୁଦ୍ଧା ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ସେ ଆଜି ବାଧ୍ୟ ହୋଇ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଇଛନ୍ତି ।