
ସୁବର୍ଣ୍ଣପୁର, (କେପିଏନ୍ଏସ୍) : କେନ୍ଦ୍ରୀୟ ଓ ରାଜ୍ୟ ଦୁର୍ନୀତି ନିବାରଣ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବେ ସମଗ୍ର ରାଜ୍ୟରେ ୩୦ ଅକ୍ଟୋବରରୁ ୦୫ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି । ସମଗ୍ର ଜିଲ୍ଲାରେ ଦୁର୍ନୀତି ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ରୟାଲ୍ ପଡ଼ିଆରୁ ପୁରୁଣା ଟାଉନହଲ ପର୍ଯ୍ୟନ୍ତ ଏକ ଗଣଦୌଡ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିମଳେନ୍ଦୁ ରାୟ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ଏବଂ ଆରକ୍ଷୀ ବାହିନୀ ଯୋଗ ଦେଇ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ଗଣଦୌଡ କରିଥିଲେ । ଏଥିରେ ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତା ୦୪ ତାରିଖରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହେବ । ଏହା ସହିତ ସମସ୍ତ ଉପଖଣ୍ଡ ଓ ବ୍ଳକ ମାନଙ୍କରେ ମଧ୍ୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।