
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଭରସୁଜା ରାସ୍ତାର କନ୍ଦାଜୁରି ଛକ ବୁଲାଣି ନିକଟରେ ଗୁରୁବାର ସକାଳ ସାଢେ଼ ୧୦ଟାରେ ଏକ ବାଇକ୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ଲୋଇସିଂହା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଆଗଲପୁର ଥାନା ଇଂସା ଗ୍ରାମର ଶଲ୍ୟ ଥନାପତି(୩୫) । ଶଲ୍ୟ ନିଜ ସମ୍ପର୍କୀୟ ମଣିଚନ୍ଦ୍ର ଓ ସୁବ୍ରତଙ୍କ ସହିତ ବାଇକରେ ଆସୁଥିଲେ । କନ୍ଦାଜୁରି ଛକ ନିକଟରେ ଭାରସାମ୍ୟ ହରାଇ ତିନି ବାଇକ୍ ଆରୋହୀ ରାସ୍ତାକଡ ସିମେଣ୍ଟ ଖୁଣ୍ଟରେ ପିଟି ହୋଇ ପଡ଼ି ଯାଇଥିଲେ । ସ୍ଥାନୀୟ ଜଙ୍ଗଲି ବୀର ବଜରଙ୍ଗ ବଳି କ୍ଲବର୍ ସଦସ୍ୟମାନଙ୍କ ସହାୟତାରେ ଝାରମୁଣ୍ଡାର ପୂର୍ବତନ ସରପଂଚ ସୁନିଲ ଅଗ୍ରୱାଲ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଆହତମାନଙ୍କୁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଶଲ୍ୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣ ଚିକିତ୍ସିତ ହେଉଥିବା ଜଣାଯାଇଛି ।