ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁଇ ମହିଳା ସରକାରୀ କର୍ମଚାରୀ ମୃତ

ଜି. ଉଦୟଗିରି : ଜି ଉଦୟଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ ସ୍କୁଟିକୁ ଦୃତ ଗତିରେ ଆସୁଥିବା ଏକ ବାଇକ ଧକ୍କା ଦେବା ଫଳରେ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ଦୁଇ ଜଣ ମହିଳା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ ଟା ୩୦ ସମୟରେ ଲିଙ୍ଗାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୩୪ ବର୍ଷୀୟା ଶିକ୍ଷୟିତ୍ରୀ ପ୍ରଦୀପ୍ତା ସାହୁ ଓ କିରାଣୀ ବିମଳା ପ୍ରଧାନ ସ୍କୁଟି ଯୋଗେ ବିଦ୍ୟାଳୟ ଯାଉଥିଲେ ।

ଏହି ସମୟରେ ନିଲୁଙ୍ଗିଆ ଘାଟିରେ ରାଇକିଆ ପଟୁ ଆସୁଥିବା ଏକ ବାଇକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁଇ ମହିଳା ଗାଡିରୁ ଛିଟିକି ପଡି ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ଲିଙ୍ଗାଗଡ଼ ସରପଞ୍ଚ ଅବୋଲକର ପ୍ରଧାନ ପହଞ୍ଚି ଏକ ଅଟୋ ସାହାଯ୍ୟରେ ସେମାନଙ୍କୁ ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅପରପକ୍ଷରେ ବାଇକ ଆରୋହୀ ମଧ୍ୟ ଗୁରୁତର ହୋଇଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଜି ଉଦୟଗିରି ବିଡିଓ ଆଶିଷ ତ୍ରିପାଠୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଏଭଳି ମର୍ମନ୍ତୁଦ ଘଟଣା ଯୋଗୁଁ ଜି ଉଦୟଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏପଟେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ସେଠାରେ ପୁଲିସ ମୂତୟନ କରାଯାଇଛି । ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଦୁର୍ଘଟଣା ସ୍ଥଳ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.