
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟି ବହୁ ଧନଜୀବନର କ୍ଷୟକ୍ଷତି ଘଟୁଛି । ଆଜି ଦିନ ୧୦ଘଣ୍ଟା ସମୟରେ ତୁରେକେଲା କଣ୍ଟାବାଞ୍ଜି ରାସ୍ତାରେ ଥିବା ତାରିଣୀ ମନ୍ଦିର ପାଖରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଗଇନ୍ଦିମାଲ ଗ୍ରାମର ଡଙ୍କେଶ୍ୱର ରାଉତ ତାଙ୍କ ମାଆ ଶ୍ରୀମତୀ ଉମା ରାଉତଙ୍କୁ ନିଜ ବାଇକରେ ବସେଇ ବେଲପଡା ବ୍ଲକର ବୁଢାଭଟା ଗ୍ରାମରୁ ନିଜ ଗ୍ରାମ ଗଇନ୍ଦିମାଲକୁ ଫେରିବା ସମୟରେ ମନ୍ଦିର ବାଙ୍କ ମୋଡରେ ଭାରସାମ୍ୟ ହରାଇ ପଡି ଯାଇଥିଲେ । ଖବର ପାଇ ରକ୍ଷକ ବିରଂଚି ନାରାୟଣ ଦାଶ, ପ୍ରେମରାଜ ପାଣିଗ୍ରାହୀ, ରଂଜନ ଆଇଚ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ତୁରେକେଲା ଥାନାକୁ ଖବର ଦେବାରୁ ଥାନା ଅଧିକାରୀ ଦୀପକ ଦୁମ୍ଦୁମ୍ କିଛି ପୋଲିସ କର୍ମୀଙ୍କୁ ଆଣି ଥାନା ଗାଡିରେ ତୁରେକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ଚିକିତ୍ସା ଅଧିକାରୀ ଡାକ୍ତର ସ୍ୱାଗତ ଖମାରୀ, ନର୍ସ ସ୍ମିତାଞ୍ଜଳି ପଣ୍ଡା, ଶାନ୍ତି କୁମରିଆ, ଅଶୋକ ସମରଥ ତୁରନ୍ତ ଚିକିତ୍ସା କରିଥିଲେ । ପ୍ରକାଶ ଥାଉକି ତୁରେକେଲାରେ କିଛି ଦୁର୍ଘଟଣା ସ୍ଥାନ ଅଛି ଯେପରିକି ତାରିଣୀ ମନ୍ଦିର ଛକ, ଝିକିଢୁଡା ଛକ ଓ ମହାବିଦ୍ୟାଳୟ ପାଖରେ ନିୟମିତ ଦୁର୍ଘଟଣା ଘଟୁଛି । ଏହି ବ୍ଲାକସ୍ପଟ ଅଞ୍ଚଳରେ ସ୍ପିଡବ୍ରେକର ଦେବା ସହ ବିଭିନ୍ନ ସତର୍କତାମୂଳକ ବୋର୍ଡ ଦେବାକୁ ଜନ ସାଧାରଣରେ ଦାବୀ ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ସରକାରଙ୍କ ତରଫରୁ ନିଆଯାଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି ।