ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଐତିହ୍ୟ ଶକ୍ତି ପୀଠ କଲେଜ ଛକ ସ୍ଥିତ ଗଙ୍ଗାଧର ପାର୍କ ପରିସରରେ ନବରାତ୍ର ଶାରଦୀୟ ଦୁର୍ଗାପୂଜା ଭବ୍ୟ ପୂର୍ଣ୍ଣ କଳସ ଶୋଭାଯାତ୍ରା ଓ କଳସ ସ୍ଥାପନ ସହ ସାର୍ବଜନୀନ ଶାରଦୀୟ ୨୦ ତମ ନବରାତ୍ର ଦୂର୍ଗାପୂଜା ଆରମ୍ଭ ହୋଇଯାଇଛି । ନବରାତ୍ର ଦୂର୍ଗାପୂଜା କମିଟିର କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପୁରୋହିତଙ୍କ ନେତୃତ୍ୱରେ ପାଟଣାଗଡର ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି, ପରିଚାଳନା କମିଟିର ଉପସଭାପତି ରମେଶ ଚନ୍ଦ୍ର ଯୋଶୀ, ପ୍ରବିଣ କୁମାର କୁଅଁର, ସଂପାଦକ ବାସୁଦେବ ପାଢ଼ୀ, ସହସମ୍ପାଦକ ବିଶ୍ୱରଂଜନ ରାଓ, ନିରଞ୍ଜନ ପୁରୋହିତ ପ୍ରମୁଖଙ୍କ ସହ ସଦସ୍ୟ ଡ. ଡିଙ୍ଗର ମେହେର, ମୁରଲି ଧର ଷଡ଼ଙ୍ଗୀ, ସହଦେବ ପୁରୋହିତ, ତୋଷରାମ ମେହେର, ଡ. ଶୋଭାକର ମେହେର, ମୁଖ୍ୟ ପୂଜା କର୍ତ୍ତା ଗୋବିନ୍ଦ ସାହୁ ଓ ସପତ୍ନୀଙ୍କ ସହରର ବିଶିଷ୍ଟ ଶତାଧିକ ମହିଳା ପୁରୁଷ ଦୁଲଦୁଲି ବାଜା ବଜାଇ ଗତ ବୁଧବାର ଦିନ ୧୨ ଘଣ୍ଟା ସମୟରେ ପାଟଣାଗଡ଼ ରାମପୁର ସ୍ଥିତ ମାୟାବତୀ ନଦୀ କୂଳରେ ପହଞ୍ଚି ପୂଜାର୍ଚ୍ଚନା ପରେ ଗଙ୍ଗା ନିମନ୍ତ୍ରଣ ସହ ନଦୀରୁ ପାଣି ଆଣି ପୂର୍ଣ୍ଣ କଳସ ଶୋଭାଯାତ୍ରାରେ ବାହାରି କଲେଜ ଛକ ସ୍ଥିତ ଗଙ୍ଗାଧର ମେହେର ପାର୍କ ପରିସରର ପୂଜା ମଣ୍ଡପରେ ସ୍ଥାପନ ସହ ବିଳ୍ୱବରଣ ମଣ୍ଡଳକରଣ କରାଯାଇଥିଲା । ଗତକାଲି ମା’ଙ୍କୁ ଷୋଡ଼ଶ ଉପଚାରରେ ଦେବୀଙ୍କୁ ଆବାହନ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ଗତକାଲି ଗୁରୁବାର ସକାଳ ୭ଟାରେ ସୂର୍ୟ୍ୟପୂଜା ଚକ୍ଷୁ ଦାନ ପ୍ରାଣ ପ୍ରତିଷ୍ଠା ମହାସ୍ନାନ କରିବା ସହ ମା’ଜଗତଜନନୀ ଶୈଳପୁତ୍ରୀ ବେଶ ଧାରଣ ସହ ଚଣ୍ଡୀ ହୋମ୍ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ବ୍ରହ୍ମଚାରିଣୀ, ଶନିବାର ଚନ୍ଦ୍ରଘଣ୍ଟା, ରବିବାର କୁଷ୍ମାଣ୍ଡ ଓ ସ୍କନ୍ଦମାତା, ସୋମବାର କାତ୍ୟାୟନୀ, ମଙ୍ଗଳବାର କାଳରାତ୍ରୀ ଅଷ୍ଟମ ପୂଜା, ବୁଧବାର ମହାଗୌରୀ ସିଦ୍ଧି ପୂଜା, ଗୁରୁବାର ସିଦ୍ଧି ନବକୁମାରୀ ପୂଜନ, ଶୁକ୍ରବାର ଅପରାଜିତ ଆଦି ମା’ଙ୍କ ଅବତାର ରୂପେ ପୂଜାର୍ଚ୍ଚନା ବିଧି ଅନୁସାରେ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରତ୍ୟେକ ଦିନ ସୂର୍ୟ୍ୟ ପୂଜା ସହ ଚଣ୍ଡୀ ହୋମ, ସନ୍ଧ୍ୟାରେ ମା’ଙ୍କ ସନ୍ଧ୍ୟା ଆଳତି କରୋନା କଟକଣା ଯୋଗୁଁ ଭକ୍ତ ଦର୍ଶନ କରିବାକୁ ବାରଣ କରାଯାଉଥିବା ବେଳେ ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ବନ୍ଦ ରହିଛି ବୋଲି କମିଟିର ସଭାପତି ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି । ଧଣ୍ଡାମୁଣ୍ଡା ଗ୍ରାମର ସୁନାମଧନ୍ୟ ସାଧକ, ପୂଜକ, ଗାୟକ ବୈଦ୍ୟନାଥ ମିଶ୍ର ମୁଖ୍ୟ ପୂଜକ ଭାବେ ପୂଜା କାର୍ଯ୍ୟ ତୁଲାଉଛନ୍ତି ।
Prev Post