ଅଭିଯୋଗକୁ ପ୍ରତ୍ୟାଖାନ କଲା ସେକ୍ଟର -୨ ଦୁର୍ଗାପୂଜା କମିଟି

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ଗଣମାଧ୍ୟମରେ ସେକ୍ଟର-୨ ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ବିରେନ୍ଦ୍ର ନାରାୟଣ ସ୍ୱାଇଁଙ୍କ ବିରୁଦ୍ଧରେ ଆସିଥିବା ଆର୍ଥିକ ହେରଫେର ଖବର ପ୍ରକାଶ ପାଇବା ପରେ, ଏନେଇ ପୂଜା କମିଟି ତରଫରୁ ସେକ୍ଟର-୨ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ତଥ୍ୟ ଉପସ୍ଥାପନା କରାଯାଇଥିଲା । ସୂଚନାଯୋଗ୍ୟ ଯେ, କମିଟିର ସାଧାରଣ ସଂପାଦକ ଶ୍ରୀ ସ୍ୱାଇଁ ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ହେରଫେର କରିଛନ୍ତି ବୋଲି ପ୍ରାକ୍ତନ କମିଟି ସଭାପତି ଚିତ୍ତରଞ୍ଜନ ଜେନା ସେକ୍ଟର-୩ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହାକୁ ପ୍ରତ୍ୟାଖାନ କରାଯାଇ ସାମ୍ବାଦିକ ସମ୍ମିଳନୀରେ ବିଗତ ୪ବର୍ଷର ହିସାବ ରଖାଯାଇଥିଲା । ଅନ୍ୟ ପକ୍ଷେ ଆସନ୍ତା ୨୫ ତାରିଖରେ କମିଟିର ଚଳିତ ବର୍ଷର ନୂତନ କମିଟି ଗଠନ ସହ ଆୟବ୍ୟୟର ହିସାବ ରଖାଯାଇଥାନ୍ତା । ମାତ୍ର ଏହା ପୂର୍ବରୁ “ନଇ ନ ଦେଖୁଣୁ ଲଙ୍ଗଳା” ନୀତିରେ ଶ୍ରୀ ଜେନା ଏକ ହଟଚମଟ ସୃଷ୍ଟି କରିବା ପାଇଁ ଏହିଭଳି ଭିତ୍ତିହୀନ ଅଭିଯୋଗ କରିଛନ୍ତି ବୋଲି କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ଉପଦେଷ୍ଟା ଗୋପିନାଥ ପଟ୍ଟନାୟକ, ରଶ୍ମିତ୍ ସାହାଣୀ, ପ୍ରାକ୍ତନ ସଭାପତି ସନାତନ ସୁନାନୀ, ସାଧାରଣ ସମ୍ପାଦକ ବିରେନ୍ଦ୍ର ନାରାୟଣ ସ୍ୱାଇଁ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବର୍ଷର ଆୟବ୍ୟୟ ସହ ଏ ସମ୍ପର୍କରେ ମତ ରଖିଥିଲେ ।

Leave A Reply

Your email address will not be published.