ମାଉଜର ଦେଖାଇ ଦୋକାନୀ ଦୁଇ ଭାଇଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ତ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚାହା ପାନ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ କେହି ଦୁର୍ବୃତ୍ତ ମାଉଜର ଦେଖାଇ ଉଠାଇ ନେଇ ଯାଇଥିବା ଖବର ମିଳିଛି । ଗୋଟିଏ ଇନୋଭା ଏବଂ ଆଉ ଗୋଟିଏ କାରରେ ପ୍ରାୟ ଚାରି ଜଣ ଯୁବକ ଦୋକାନ ପାଖରେ ପହଂଚି ପିସ୍ତଲ ଦେଖାଇ କେହି କିଛି ବୁଝିବା ପୂର୍ବରୁ ଦୁଇ ଭାଇଙ୍କୁ ଗାଡ଼ିରେ ବସାଇ କିଡନାପ କରି ଛତ୍ରପୁର ପଟେ ଚମ୍ପଟ ମାରିଥିଲେ । ଏନେଇ ସଙ୍ଗେ ସଙ୍ଗେ ପରିବାର ଲୋକ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ଏହାକୁ ବିରୋଧ କରି ଅନ୍ୟ ଦୋକାନୀମାନେ ଷୋହଳ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ସେଠାରେ ଚାପା ଉତ୍ତେଜନା ଦେଖା ଦେବା ସହ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ଆସିବା ପରେ ସ୍ଥାନୀୟ ଅଂଚଳର ଲୋକ ମାନେ ପ୍ରବଳ ହୋ ହାଲ୍ଲା କରିଥିଲେ । ତେବେ ଏପର୍ଯ୍ୟନ୍ତ କିଏ ଓ କାହିଁକି ଏଭଳି କିଡନାପ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.