
କଟକ : ବିଳମ୍ୱିତ ରାତିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍ । ଏହି ଦୁର୍ଘଟଣାରେ ଗାଡ଼ିର ଚାଳକ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରେଲର୍ଟିକୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଖୁଣ୍ଟୁଣି ନରସିଂହପୁର ୬୫ ନମ୍ବର ଜାତୀୟ ରାଜପଥର ବିନ୍ଧାଣିମା ହନୁମାନ ମନ୍ଦିର ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ମଙ୍ଗଳବାର ବିଲମ୍ୱିତ ରାତିରେ ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍ଟି ଭାରସାମ୍ୟ ହରାଇ ବିନ୍ଧାଣିମା ହନୁମାନ ମନ୍ଦିର ନିକଟରେ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଗାଡ଼ିର ଚାଳକ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ତିଗିରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟଲୋକଙ୍କ ସହାୟତାରେ ଚାଳକଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଏହା ସହ ଟ୍ରେଲରଟିକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ତିଗିରିଆ ପୁଲିସ ।