ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ରହିଥିବା ଡ୍ରେନ ମଧ୍ୟରେ ଏକ ଗାଈ ଖସି ପଡି ଇତଃସ୍ତତଃ ହୋଇ ହଟହଟା ହେଉଥିବା ଦେଖିବାକୁ ମିଳିଥିଲା । ଗାଇଟି ପ୍ରାୟ ୧୫ ଫୁଟ ଗଭୀରତାରେ ନିର୍ମିତ ଡ୍ରେନ ମଧ୍ୟରୁ ବାହାରିବା ସମ୍ଭବ ନଥିଲା ।ରାତ୍ରରେ ସ୍ଥାନୀୟ ଅଞ୍ଚଳବାସୀ ଗାଇଟି କିପରି ଉଠିବ ଭାବି ଚିନ୍ତିତ ହୋଇପଡିଥିଲେ । ସ୍ଥାନୀୟ ବିଜେଡି ଯୁବ ନେତା ସୁଧିର କୁମାର ପାଢୀ ଛତ୍ରପୁର ଦମକଳ ବାହିନୀକୁ ଜଣାଇବା ପରେ ଦମକଳ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଇଟିକୁ ଡ୍ରେନ ମଧ୍ୟରୁ ରସି ସାହାଯ୍ୟରେ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଦୁଇଜଣ ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ପୂର୍ତ୍ତ ବିଭାଗ ପକ୍ଷରୁ କିଛି ମାସ ଗଞ୍ଜାମ ସହରରେ ମୁଖ୍ୟରାସ୍ତା ପ୍ରଶସ୍ତିକରଣ ନିର୍ମାଣ କାର୍ୟ୍ୟ କନିଷ୍ଟ ଯନ୍ତ୍ରୀଙ୍କ କାର୍ୟ୍ୟଦକ୍ଷତା ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ବଜାରର ମୁଖ୍ୟ ରାସ୍ତା ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଏପରି ଗଭୀର ଡ୍ରେନ ନିର୍ମାଣ କରାଯାଇଥିବା ବେଳେ ତା’ ଉପରେ ପ୍ଲେଟ ପକାଯାଇନଥିବାରୁ ବିଭାଗୀୟ ଅଧିକାରୀଙ୍କ କାର୍ୟ୍ୟଦକ୍ଷତା ନେଇ ଚର୍ଚ୍ଚା ହୁଏ । ପ୍ରତିଦିନ ଜନ ଗହଳି ପୂର୍ଣ ଅଞ୍ଚଳରେ ଏପରି ବିପଦପୂର୍ଣ୍ଣ ଡ୍ରେନ ସାଧାରଣ ଜନତାଙ୍କ ଜୀବନ ପ୍ରତି ବିପଦ ରହିଥିବା ପରିଲକ୍ଷିତ ହୁଏ । ସେହିପରି ସାନ ବଜାର ବସ ଷ୍ଟପ ନିକଟରରେ ଡ୍ରେନ ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷା ଜଳ ନିଷ୍କାସିତ ହୋଇନପାରି କୃତିମ ବନ୍ୟା ପରିସ୍ଥିତି ଲକ୍ଷ କରାଯାଏ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ ହଁ କରିଦେବା କହି ଚାଲିଯିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହେଉଛି । ଏ ସମ୍ପର୍କରେ ବିଭାଗୀୟ ଏସଡିଓଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ଅଞ୍ଚଳବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଏ ଦିଗରେ ବିଭାଗୀୟ କର୍ତ୍ୟୁପକ୍ଷ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବୀ ହେଉଛି ।