ଟିଟିଲାଗଡ ନିକଟସ୍ଥ ସିଆଲ ଯୁଡୁଙ୍ଗି ଗ୍ରାମରେ ଡ୍ରେଗନ୍ ଫଳ ଚାଷ କରି ସଫଳତା ହାସଲ କଲେ ଦୁର୍ଯ୍ୟୋଧନ ସାହୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ବଜାରରେ ନୂତନ ଫଳ ତଥା ନୂଆ ନୂଆ ପନିପରିବା ଚାଷୀ ଉତ୍ପାଦନ କରି ବଜାରରେ ବିକ୍ରି କରିବା ସହ ନିଜେ ରୋଜଗାରକ୍ଷମ ହୋଇ ପାରୁଛନ୍ତି । ସେମିତି ବି ଇଛା ଶକ୍ତି ଓ ପରିଶ୍ରମ ବଳରେ ସବୁ କିଛି ସମ୍ଭବ ହୋଇପାରେ ବୋଲି ପ୍ରମାଣିତ କରିଛନ୍ତି ଟିଟିଲାଗଡ଼ର ଦୁର୍ଯ୍ୟୋଧନ ସାହୁ ।

ଟିଟିଲାଗଡ ସର୍ଗିଗୁଡା ନିବାସୀ ଦୁର୍ଯ୍ୟୋଧନ ସାହୁ ଗୁଲ୍ମୀ ନିକଟସ୍ଥ ସିଆଲ୍ ଯୁଡ଼ୁଙ୍ଗି ଗ୍ରାମରେ ଥିବା ନିଜର ଦେଢ଼ ଏକର ଜମି ଭିତରୁ ପ୍ରାୟ ଅଧା ଏକର ଜମିରେ ଏକ ବର୍ଷ ପୂର୍ବେ ଡ୍ରେଗନ ଫ୍ରୁଟ୍‌ ଚାରା ପଡୋଶୀ ରାଜ୍ୟ ୱେଷ୍ଟ ବେଙ୍ଗଲ ଓ ଆସାନସୋଲରୁ ଆଣି ନିଜର ଜମିରେ ଲଗାଇଥିଲେ । ଏବେ ସେ ଲଗାଇଥିବା ଗଛରୁ ଫଳ ବାହାରିବାରେ ଲାଗିଛି । ୩୨ ପ୍ରକାର ଡ୍ରେଗନ ଫ୍ରୁଟ୍ ଗଛ ଥିବା ବେଳେ ତାଙ୍କ ଜମିରେ ଚାରି ପ୍ରକାର ଗଛ ଲଗାଇଛନ୍ତି । ଡ୍ରେଗନ ଫ୍ରୁଟର ରଙ୍ଗ ଯେପରି ଗୋଲାପି ହୋଇ ସୁନ୍ଦର ଦିଶୁଛି ସେହିପରି ଫଳ ଅତି ସୁସ୍ୱାଦୁ ମଧ୍ୟ ହୋଇଛି । ବଜାରରେ କିଲୋଗ୍ରାମ ପିଛା ୨୫୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ବେଳେ ଶ୍ରୀ ସାହୁ ଏହାକୁ ୧୫୦ ଟଙ୍କାରେ ବଜାରରେ ଉପଲବ୍ଧ କରାଉଛନ୍ତି, ଫୋନ କଲେ ହୋମ ଡେଲିଭରି ସୁବିଧା ମଧ୍ୟ ଯୋଗାଉଥିବା ସେ କହିଛନ୍ତି । ନୂତନ ଯୁଗରେ ନୂତନ ପ୍ରଣାଳୀରେ ଏହି ଚାଷ କରି ଏବେ ସଫଳତାର ସ୍ଵାଦ ଚାଖିବା ସହ ନିଜ ଅଞ୍ଚଳରେ କମ୍‌ ଦରରେ ବିକ୍ରି କରିବା ଗ୍ରାହକଙ୍କ ପାଇଁ ଖୁସିର ଖବର ।

Leave A Reply

Your email address will not be published.