ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଭୟପୁର ଗାଁରେ ଦୋଳି ଖେଳିବା ସମୟରେ ପଥର ଖୁଣ୍ଟି ପଡି ଯିବାରୁ ୫ ବର୍ଷର ଭଉଣୀର ମୃତ୍ୟୁ ଘଟିଥିବା ବେଳେ ୮ ବର୍ଷର ଭାଇ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅଭୟପୁର ଗାଁର ସହଦେବ ରାଉତଙ୍କ ଝିଅ ବେବିନା (୫) ଏବଂ ପୁଅ ଓମ ପ୍ରକାଶ (୮) ସନ୍ଧ୍ୟା ସମୟରେ ଘର ନିକଟରେ ଥିବା ଏକ ପୁରୁଣା ମାଟି ପଥର କାନ୍ଥରେ ଦୋଳି ଲଗାଇ ଖେଳୁଥିଲେ । ଏହି ସମୟରେ ହଠାତ୍ ପଥର ଖୁଣ୍ଟ ପଡିଯାଇଥିଲା । ଫଳରେ ପଥର ତଳେ ଚାପି ହୋଇ ବେବିନାର ମୃତ୍ୟୁ ଘଟିଥିବା ବେଳେ ଓମ୍ ଗୁରୁତର ହୋଇଥିଲେ । ଓମ୍କୁ ସଙ୍ଗେସଙ୍ଗେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।