ଦୀପାବଳିର ଦୀପଟିଏ ସହିଦ୍‌ଙ୍କ ପାଇଁ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ଓ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଦୀପାବଳିର ଦୀପଟିଏ ସହିଦଙ୍କ ପାଇଁ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ର ଡେପୁଟି କମାଣ୍ଡାଣ୍ଟ ସିରାଜୁଲ ଆଲାମ ମୁଖ୍ୟଅତିଥି, ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ ଶର୍ମା ସମ୍ମାନିତ ଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକ, ଉପସଭାପତି ତଥା ଉପଦେଷ୍ଟା କବି କୁଞ୍ଜବିହାରୀ ରାଉତ, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ଓ ସମାଜସେବୀ କୁମାର ବେହେରା, ଅବସରପ୍ରାପ୍ତ ସେନାଧିକାରୀ ଅଜୟ ଖଟୁଆ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସହିଦ୍‌ଙ୍କ ନାମରେ ଦୀପଟିଏ ଜାଳିବା ସହିତ ସେମାନଙ୍କ ଗୁଣ ଗରିମା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଯେଉଁ ଦେଶରେ ଆର୍ଥିକ ଓ ସାମରିକ ଶକ୍ତି ମଜବୁତ, ସେ ଦେଶର ସ୍ଥିତି ସମାଜରେ ସ୍ୱତନ୍ତ୍ର । ଏହା ସହ ଶୃଙ୍ଖଳା, ସମୟାନୁବର୍ତ୍ତିତା, ଆଚରଣ ଓ ଉଚ୍ଚାରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ ଓ ବତ୍କୃତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗିତାର ବିଚାରକ ଭାବେ ସର୍ବଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଫକୀର ଚରଣ ପତି, ଉଷାରାଣୀ ଶତପଥୀ, ସୁଦେଷ୍ଣାରାଣୀ ରାଉତ, ରବର୍ଟ ହାଇଫିଲ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ । କାର୍ଯ୍ୟକ୍ରମର ଉପାଧ୍ୟକ୍ଷା ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ପରେ ସହିଦ୍‌ଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଏକ୍ସ ସର୍ଭିସମ୍ୟାନ ଲିଗ୍, ରାଉରକେଲା, ସସ୍ମିତା ପ୍ରଧାନ, ଅନ୍ବେଷା ପଣ୍ଡା, ମୋହନ ପଟ୍ଟନାୟକ, କଲ୍ୟାଣୀ ଦାସ, ଦିବାକର ଦାସ ଓ ଅନ୍ୟମାନେ ସହଯୋଗ କରିଥିଲେ । ଶେଷରେ ଆବାହକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.