ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲା ଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ବଡ ଧୁମଧାମରେ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ନାରୀ କିପରି ନାରାୟଣୀ, ସମାଜକୁ ସେମାନଙ୍କ ଅବଦାନ ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।
ସେକ୍ଟର ୩ ସ୍ଥିତ ରାଉରକେଲା ଯୁବହଷ୍ଟେଲ ଶାଖା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ହଷ୍ଟେଲର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆବାହକତ୍ଵ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏନ୍ଆଇଟିର ପ୍ରଫେସର ସୁସ୍ମିତା ଦାସ ଯୋଗଦେଇ ଉପସ୍ଥିତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଏହି ଦିବସର ପାଳନ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପିଙ୍କ୍ ଅଟୋ ଚାଳକ ରୋମିଲା ସିଂ ଓ ଦିବ୍ୟାଙ୍ଗ ଅଧ୍ୟାପିକା ଅପରାଜିତା ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ନାରାୟଣ ପତି, ସ୍ଥାନୀୟ ଉପସଭାପତି ଜି ଏନ୍ ଶ୍ରୀବାସ୍ତବ, କୋଷାଧ୍ୟକ୍ଷ ଏସ୍ ଏନ୍ ଲେଙ୍କା, ସରୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଷ୍ଣୁପ୍ରିୟା ସ୍ୱାଇଁ ଓ କବିତା ବିଶୋଇ ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସୁବର୍ଣ୍ଣରେଖା ଅନ୍ୟତମ ସାମାଜିକ ସାଂସ୍କୃତିକ ସାହିତ୍ୟ ଅନୁଷ୍ଠାନ ସୁବର୍ଣ୍ଣରେଖା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି । ନଳିନୀ ମହିଳା ସଂହତି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବନବିହାରୀ ରଣା ଓ ସମ୍ପାଦକ କମଳାକାନ୍ତ ପ୍ରଧାନ ତଥା ଗୀତାଞ୍ଜଳି ପଣ୍ଡାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ସଦସ୍ୟାଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ମହିଳା ମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମନୋରଞ୍ଜନ ଦାସ, ନିତ୍ୟାନନ୍ଦ ବେହେରା ତଥା ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ପଞ୍ଚତତ୍ୱ ସହରର ଅନ୍ୟତମ ନାଟ୍ୟାନୁଷ୍ଠାନ ପଞ୍ଚତତ୍ୱ ତରଫରୁ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଜନ୍ମେଜୟ ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରତିଷ୍ଠାନର ଅନ୍ତେବାସୀଙ୍କ ସହ ଏହି ଦିବସକୁ ମହାସମାରୋହରେ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ମିଶ୍ର ଅତିଥି ଭାବେ ଯୋଗଦେଇ ଏହି ଦିବସର ମହତ୍ୱ ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏଆଇଏମଏସଏସ ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଏଆଇଏମଏସଏସର ସେକ୍ଟର ୧୭ ମହିଳା ଗୃପ ତରଫରୁ ଶୋଭାଯାତ୍ରା ଓ ସେକ୍ଟର ୨ ସ୍ଥିତ ଏସଜିମହିଳା ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି । ଏହି ଅବସରରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି ଦିବସ ପାଳନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟୁତଲତା ମହନ୍ତ ଓ ଅନ୍ୟମାନେ ସହଯୋଗ କରିଥିଲେ ।
ବିଏମଏସ ସେକ୍ଟର ୩ ସ୍ଥିତ ରିକ୍କ୍ସ ଅଫିସ ଠାରେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୀବନ ବୀମା ନିଗମରର ଡେଭଲପମେଣ୍ଟ ଅଫିସର ଜୟଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନାରୀର ସ୍ୱାଭିମାନ, କିପରି ତାହାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ ହୁଏ ତାହାରି ଉପରେ ବକ୍ତବ୍ୟ ରଖିଥିଲେ । ବିଏମ୍ଏସ୍ର ଅଖିଳ ଭାରତୀୟ ସମ୍ପାଦିକା ସୁଶ୍ରୀ ଅଞ୍ଜଳି ପଟେଲ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଆଜି ନାରୀ ଆଉ ଦୁର୍ବଳ ନୁହେଁ ବରଂ ଅଧିକ ସବଳ ହୋଇଛି ଏବଂ ସମାଜରେ ତାହାର ସମ୍ମାନ ମଧ୍ୟ ବଢିଛି । ବିଶେଷ କରି ଘରେ ପିଲାମାନଙ୍କୁ ମା’ମାନେ କିପରି ସଂସ୍କାର ଦେଇ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବେ, ତାହା ଉପରେ ମାର୍ଗ ଦର୍ଶନ କରିଥିଲେ । ଭାରତୀୟ ମଜଦୁର ସଙ୍ଘର ସହ ଉଦ୍ୟୋଗ ପ୍ରଭାରୀ ହିମାଂଶୁ ବଳ ନାରୀ ଏବଂ ପୁରୁଷ ଉଭୟ ପରସ୍ପରର ପରିପୂରକ ଏବଂ ଉଭୟ ଚାହିଁଲେ ଏକ ସଂସ୍କାର ଯୁକ୍ତ ପରିବାର ଗଠନରେ ସହାୟକ ହେବେ ବୋଲି ନିଜସ୍ୱ ମତବ୍ୟକ୍ତ କରିଥିଲେ । ଭାରତୀୟ ମଜଦୁର ସଙ୍ଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟା ସମିତା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ରିକ୍କ୍ସର ସମ୍ପାଦିକା ରୀତା ରାଣୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଗଳ୍ପ ଲେଖିକା ଆଶିଭାନୁଙ୍କୁ ତାଙ୍କ ଗପ ବହି ରେନି ଡେ ପାଇଁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଅଙ୍କିତା ଦାସ ଏବଂ ରଂଜିତା ଜେନାଙ୍କର ବିଶେଷ ସହଯୋଗ ଥିଲା । କାର୍ଯ୍ୟକ୍ରମ ଶେଷରେ ହିମାଂଶୁ ବଳ ସମସ୍ତ ଅତିଥିଙ୍କୁ ସ୍ମୃତି ଚି଼ହ୍ନ ଭେଟି ଦେଇଥିଲେ ।