- “ରାଷ୍ଟ୍ର ତଥା ସମାଜର ବିକାଶ ପାଇଁ ସାକ୍ଷରତା ଅପରିହାର୍ଯ୍ୟ”
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନଫରେନ୍ସ ହଲ ଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଜ଼ିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ ଓଝା ନିଜ ବକ୍ତବ୍ୟରେ ରାଷ୍ଟ୍ର ତଥା ସମାଜର ବିକାଶ ପାଇଁ ସାକ୍ଷରତା ଅପରିହାର୍ଯ୍ୟ ବୋଲି କହିବା ସହ ଉନ୍ନତ ଶିକ୍ଷା ମାଧ୍ୟମରେ ହିଁ ଏଭଳି ସମସ୍ୟାକୁ ଦୂର କରାଯାଇପାରିବ ବୋଲି କହିଥିଲେ । ନିମନ୍ତ୍ରିତ ବକ୍ତା ଭାବେ ବିଇଡି କଲେଜର ସହକାରୀ ପ୍ରଫେସର ଡ.ସୁଧୀର ସାହୁ ଯୋଗଦେଇ ପଢିବା ଓ ଲେଖିବା ପାଇଁ ଅସମର୍ଥ ହେଲେ ଶିକ୍ଷା ବାଧା ପ୍ରାପ୍ତ ହୁଏ ଓ ଆମ ବ୍ୟକ୍ତିତ୍ୱର ବିକାଶ ମଧ୍ୟ କଷ୍ଟକର ପାଲଟିଥାଏ ବୋଲି କହିଥିଲେ । ଏଡିଇଓ ସେବାଶ୍ରୀ ଭୋଇ, ପ୍ରବୀର ପଣ୍ଡା, ବିଇଓ ଦେଓଗାଁ ମମତା ମହାଡ଼ିକ, ବିଇଓ ମୁରିବାହାଲ ଶାନ୍ତନୁ ପଡିହାରୀ, ବିଇଓ ସଇଁତଲା ଦିଲୀପ ଯୋଶୀ, ବିଇଓ ଗୁଡ଼ଭେଲା ନମିତା ଭୋଇ, ଡେପୁଟି କଂଟ୍ରୋଲର, କଟକ ବୋର୍ଡ଼ ଅଫିସ ଅବିନାଶ ଶତପଥି, ଡ଼ାଏଟ ବଲାଙ୍ଗିରର ଅଧ୍ୟକ୍ଷ ଡ. ଜୟ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ସାକ୍ଷରତାର ମହତ୍ତ୍ୱ ପ୍ରତିପାଦନ କରିବା ସହ ବ୍ୟକ୍ତିଗତ, ସାମୁଦାୟିକ ତଥା ସାମାଜିକ ସ୍ତରରେ ସାକ୍ଷରତା ହାର ବଢ଼ାଇବା ନିମିତ୍ତ ସଚେତନତା ସୃଷ୍ଟି କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିବା ସହ ଶିକ୍ଷା ବ୍ୟକ୍ତିକୁ ଶୃଙ୍ଖଳିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ସଇଁତଲା ବ୍ଲକରୁ ଆସିଥିବା ଦୈତାରୀ ମାଝୀ, ବେଲପଡା ବ୍ଲକରୁ ସନ୍ୟାସୀ ସାହୁ, ତୁରକେଲା ବ୍ଲକରୁ ସବିତା ପୁଟେଲ, ଆଗଲପୁର ବ୍ଲକରୁ ତରଣୀ ପଟେଲ ପ୍ରମୁଖ “ଉଲ୍ଲାସ” କାର୍ଯ୍ୟକ୍ରମ ଜରିଆରେ ନିଜେ କିପରି ଅକ୍ଷର ଓ ସଂଖ୍ୟା ଜ୍ଞାନ ଅର୍ଜନ କଲେ ସେ ସମ୍ପର୍କୀୟ ଅନୁଭୂତି କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠି ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ପ୍ରଧାନ ଶିକ୍ଷକ ସରୋଜ ନାୟକ । ଶେଷରେ ଧନ୍ୟବାଦ ଦେଇଥିଲେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର । ସ୍ଥାନୀୟ ଜନସାଧାରଣଙ୍କୁ ଅବଗତ କରିବା ନିମନ୍ତେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟରୁ ଏକ ସଚେତନତା ରାଲି ବାହାରି ସାକ୍ଷରତାର ମହତ୍ତ୍ଵ ସମ୍ବନ୍ଧୀୟ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲା । ଏହି ସଚେତନତା ରାଲିରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଭିନ୍ନ ବ୍ଲକରୁ ଆସିଥିବା “ଉଲ୍ଲାସ”ର ଶିକ୍ଷାର୍ଥୀ, ସିଆର୍ସିସି, ଅଭିଭାବକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ନିରୀକ୍ଷକ ନବଘନ ସାହୁ, ବୀରେନ୍ଦ୍ର ହୋତା, ନୀଳାଚଳ ଗାଈଗରିଆ ପ୍ରମୁଖ ସହଯୋଗ କରିଥିଲେ ।