centurian jitm

ନୂଆପଡା ଜିଲ୍ଲାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

  • ରକ୍ତଦାନ ଭଳି ପୁଣ୍ୟ କାମରେ ସମସ୍ତେ ସହଯୋଗ କରନ୍ତୁ : ଜିଲ୍ଲାପାଳ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏକ ଜନ ସଚେତନତା ରାଲିକୁ ଜିଲ୍ଲାପାଳ ମଧୁସୂଦନ ଦାଶ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଏଥିରେ ନିଜେ ମଧ୍ୟ ଯୋଗ ଦେଇଥିଲେ । ଏହାପରେ ସ୍ଥାନୀୟ ସଦ୍‌ଭାବନା ସଭା ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି. ଆର୍. ରାଘବେନ୍ଦ୍ର ଏବଂ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସିଡିଏମ୍‌ଓ ଡଃ ଗୁରୁ ପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ରେଡକ୍ରସର ପ୍ରତିଷ୍ଠାତା ସାର୍ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଅତିଥିମାନେ ଦିବସର ମହତ୍ତ୍ଵ ସହିତ ସାର୍ ହେନେରୀଙ୍କ ମାନବ ସମାଜ ପ୍ରତି ବହୁମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ । ସଭାକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେ ଯେ, ହେନେରୀ ଡୁନାଣ୍ଟ ରେଡକ୍ରସ ମାଧ୍ୟମରେ ସବୁଦିନ ପାଇଁ ଅମର ହୋଇଯାଇଛନ୍ତି । ଆମେ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦୁଃଖୀ ଦରିଦ୍ରଙ୍କ ସେବା କରିବା । ରେଡକ୍ରସକୁ ଅଧିକ କ୍ରିୟାଶୀଳ କରି ଜିଲ୍ଲାରେ ଅଧିକ ପାଣ୍ଠି ସଂଗ୍ରହ ଓ ସ୍ଵେଚ୍ଛାକୃତ ରକ୍ତଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ । ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯୋଗେଶ୍ଵର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ, କର୍ମଚାରୀ, ବିଭିନ୍ନ ସ୍କୁଲ୍ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ରକ୍ତଦାତା କିଶୋର ପରିଡ଼ା, ମନୋଜ ଡାଗା, କଦମ୍‌ରୁ ଯାଜ୍ଞସେନୀ ମହାପାତ୍ର ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର ଜିଲ୍ଲା ରେଡକ୍ରସ ଶାଖା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.