ଆସ୍ଥା ତରଫରୁ ଉତ୍କଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସୀକୃତି ପ୍ରାପ୍ତ ରାଉରକେଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା, ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଓ ରୋଜା ନୃତ୍ୟାନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଅବସର ଭବନ, କୋଏଲ ନଗର ପ୍ରାଙ୍ଗଣରେ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଛି । ଉକ୍ତ ସମାରୋହରେ ଆର୍‌ଏସ୍‌ପି ଉପ ମହାପ୍ରବନ୍ଧକ କୁଳକାନ୍ତ ମହାନ୍ତ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଇଂ ଅଭୟ କୁମାର ଦାସ, ମୁଖ୍ୟବକ୍ତା ଭାବେ ଅବସର ଭବନର ସମ୍ପାଦକ ପ୍ରେମାନନ୍ଦ ସାମଲଙ୍କ ସହ ଆସ୍ଥାର ଉପସଭାପତି ରାଜକୁମାର ପଣ୍ଡା, ସାମାଜିକ ଉନ୍ନୟନ ଅଧିକାରୀ ସୁରେଶ ରାଉତରାୟ ଓ ସାଂସ୍କୃତିକ ସମ୍ପାଦିକା ଶିବାନୀ ରଣା ମଞ୍ଚରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଉତ୍କଳ ଦିବସର ଆଭିମୁଖ୍ୟ ସହିତ ଆସ୍ଥାର ଓଡିଆ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଖୁବ ନିଆରା ବୋଲି ଦର୍ଶାଇ ଥିଲେ । ସମ୍ମାନିତ ଅତିଥି ଉତ୍କଳ ଦିବସରେ ଆସ୍ଥାର ଓଡିଆ ସ୍କୁଲ ମାନଙ୍କୁ ନେଇ ପ୍ରତିଯୋଗିତା ମୂଳକ ପ୍ରଚେଷ୍ଠାକୁ ସାଧୁବାଦ ଜଣାଇ ଥିଲେ ଏବଂ ବନ୍ଦେ ଉତ୍କଳ ଜନନୀ ଗାନ ସମସ୍ତ ଓଡିଆମାନଙ୍କୁ ଏକ କରିଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଓଡିଶାର ବରପୁତ୍ର ମାନଙ୍କ ସ୍ମୃତି ଚାରଣ ସହିତ ପ୍ରତିବର୍ଷ ଆସ୍ଥା, ଅବସର ପ୍ରାପ୍ତ କର୍ମଚାରୀ ସଂଘ ଓ ରୋଜା ନୃତ୍ୟାନୁଷ୍ଠାନର ମିଳିତ ପ୍ରୟାସରେ ଉତ୍କଳ ଦିବସର ରୂପରେଖ ଖୁବ ସୁନ୍ଦର ହୋଇ ପାରୁଛି ବୋଲି ବର୍ଣ୍ଣନା କରିଥିଲେ । ଆସ୍ଥାର ଉପସଭାପତି ଶ୍ରୀ ପଣ୍ଡା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆସ୍ଥାର ସାମାଜିକ ଉନ୍ନୟନ ଅଧିକାରୀ ଶ୍ରୀ ରାଉତରାୟ ଆସ୍ଥା ଆଭିମୁଖ୍ୟକୁ ପ୍ରତିପାଦନ କରିଥିଲେ । ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରଣା ପାର୍ଶ୍ଵବର୍ତ୍ତୀ ଓଡିଆ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ସାଂସ୍କୃତିକ ସନ୍ଧ୍ୟାର ଆକର୍ଷଣ ଉପରେ ମତବ୍ୟକ୍ତ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ଆସ୍ଥା ତରଫରୁ ସମ୍ବର୍ଦ୍ଧନା ନିମନ୍ତେ ଅବସର ସଂଘର ବରିଷ୍ଠ ସଦସ୍ୟ ଜଗନ୍ନାଥ ମହାନ୍ତଙ୍କୁ ଆସ୍ଥାର ସଭାପତି ବିଷ୍ଣୁ ମୋହନ ମିଶ୍ର ଓ ସାଧାରଣ ସମ୍ପାଦକ ଆଲୋକ ଜେନା ମଞ୍ଚକୁ ପାଛୋଟି ନେଇଥିଲେ ତତ୍ ସହିତ ସମ୍ମାନିତ ଅତିଥିଙ୍କ କରକମଳରୁ ପୁଷ୍ପଗୁଚ୍ଛ ଓ ଶ୍ଵେତ କମଳ ସହ ଉପଢୌକନ ଦ୍ଵାରା ବିଶିଷ୍ଠ କର୍ମବୀର ସମ୍ମାନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆସ୍ଥାର କାର୍ଯ୍ୟସୂଚୀ ଅଧିକାରୀ କୁନୁ ରାଣୀ ବିଶ୍ଵାଳ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସରୋଜିନୀ ପତି ଓ ସୁକାନ୍ତି ପ୍ରଧାନଙ୍କ ଅଧକ୍ଷତାରେ ଓଡିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଆସ୍ଥା ସଦସ୍ୟମାନଙ୍କ ଦ୍ଵାରା ଗାନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ପାର୍ଶ୍ଵବର୍ତ୍ତୀ ବିଭିନ୍ନ ଓଡିଆ ବିଦ୍ୟାଳୟରୁ ୭ମ/୮ମ ଶ୍ରେଣୀର ୨୪ ଜଣ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ଅବଶେଷରେ ରୋଜା ନୃତ୍ୟାନୁଷ୍ଠାନ, ଜଗନ୍ନାଥ କଳା ପରିଷଦ ଓ ଶ୍ରୀନୃତ୍ୟାନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରୋଜା ନୃତ୍ୟାନୁଷ୍ଠାନର ବିଜୟ, ଜଗନ୍ନାଥ କଳା ପରିଷଦର ପୁଷ୍ପା ମିଶ୍ର ଓ ଶ୍ରୀନୃତ୍ୟାନୁଷ୍ଠାନର ସୁଜାତା ସାମଲଙ୍କୁ ନୃତ୍ୟଗୁରୁ ରୂପେ ସମ୍ମାନିତ କରାଯାଇଥିଲା । ଅବସର ପ୍ରାପ୍ତ କର୍ମଚାରୀ ସଂଘର କପିଳେଶ୍ଵର ମହାରଣା, ସଚ୍ଚିଦାନନ୍ଦ ମିଶ୍ରଙ୍କ ସହ ଆସ୍ଥାର ମଧୁମିତା ପଣ୍ଡା, ବିଭୁତି ସେଠି, ପୂର୍ଣ୍ଣିମା ଭଟ୍ଟାଚାର୍ଯ୍ୟ, ପ୍ରାଞ୍ଜଳି ନାଗ, ଶୁଭଲକ୍ଷ୍ମୀ ପାତ୍ର, ହରେନ୍ଦ୍ର ନାୟକ, ରାଜା ଭଗତ, ସୁଜାତା ଖଟୁଆ ଓ ମନୀଷା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.