୭୭ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଆର୍‌.ବି. ହାଇସ୍କୁଲ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ଭବ୍ୟ ଭାବେ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ପଦ୍ମପୁରବାସୀଙ୍କୁ ସମ୍ବୋଧନ କରିଥିଲେ । ମୁଖ୍ୟ ଅତିଥି ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ପ୍ରଥମେ ପଦ୍ମପୁର ଅଞ୍ଚଳବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ନିଜ ଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ ଯେ, ସମ୍ବିଧାନ ନିର୍ମାଣରେ ମହାନ ମହାପୁରୁଷମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତ ଏକ ସର୍ବଭୌମ, ସାମାଜିକ, ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ ହୋଇଥିଲା । ସେ କହିଥିଲେ ଯେ, ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କର୍ତ୍ତବ୍ୟ ହେଉଛି ସମ୍ବିଧାନର ସୁରକ୍ଷା ଓ ରାଷ୍ଟ୍ରର ସୁରକ୍ଷା ପ୍ରତି ସଚେତନ ରହିବା । ଆମ ଐତିହାସିକ କୃଷି, ଲୋକସଂସ୍କୃତି, କଳା, ସାହିତ୍ୟ, ସ୍ୱାଧୀନତା ସଂଗ୍ରାମ ଓ ସଂସ୍କୃତି ଆମ ଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ପ୍ରଶାସନ ଓ ଲୋକମାନଙ୍କ ସହଯୋଗରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତା, ଡିଜିଟାଲ ସେବା ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ସେ ଶେଷରେ ସମସ୍ତ ପଦ୍ମପୁରବାସୀଙ୍କୁ ଅଞ୍ଚଳର ବିକାଶ ପାଇଁ ସମର୍ପିତ ଭାବେ କାମ କରିବାକୁ ଆହ୍ୱାନ କରିଥିଲେ । ପ୍ରଭାତ ୪ଟା ୩୦ମିନିଟ୍‌ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ କରାଯାଇଥିଲା । ପ୍ରଭାତଫେରି ଗୋପାଳଜୀ ମନ୍ଦିରରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ଏହି ଉତ୍ସବରେ ମୋଟ ୪୫ଟି ପ୍ୟାରେଡ୍ ଦଳ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ଜେଲ୍ ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ । ସେହିପରି ମେଡିକାଲ ରୋଗୀମାନଙ୍କ ଓ କୁଷ୍ଠାଶ୍ରମରେ ଧୋତି ଓ ଶାଢୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ବରିଷ୍ଠ ବ୍ୟକ୍ତିବର୍ଗ, ସାମ୍ବାଦିକମାନେ, କାର୍ଯ୍ୟକାରୀ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମହେନ୍ଦ୍ର ସାହୁ, ଉପଜିଲ୍ଲାପାଳଙ୍କ ସହାୟକ ସନ୍ତୋଷ କୁମାର ପତି, ଜିଲ୍ଲାପାଳଙ୍କ ସହାୟକ ନେପାଳ ଚନ୍ଦ୍ର ମୁଣ୍ଡା ଏବଂ ପଦ୍ମପୁର କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.