କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ଥାନୀୟ ଟାଉନ ହଲରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳନ କରାଯାଇଛି । ଓ.ଏସ୍.ଏ.ସି.ଏସ୍. ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ବେଦାନ୍ତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଟାଉନ ହଲ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରା ପରେ ଟାଉନହଲ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ନିହାରେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ଡ. ଉମେଶ ଚନ୍ଦ୍ର ଶତପଥୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କହଁର, ବେଦାନ୍ତ ପ୍ରକଳ୍ପର ମୁଖ୍ୟ ପ୍ରତିକ କୁମାର, ବେଦାନ୍ତର ସୁରକ୍ଷା ଓ ପ୍ରଶାସନ ମୁଖ୍ୟ ଦେବାଶିଷ ଦତ୍ତ, ବେଦାନ୍ତର ଅଧିକାରୀ ଦିଲୀପ ପ୍ରଜାପତି, ଡି.ପି.ଏମ୍. (ଏନ୍.ଏଚ.ଏମ୍.) ଦିଲୀପ ଦୁବେ, ଡି.ପି.ଏଚ.ସି.ଓ. ଧର୍ମେନ୍ଦ୍ର ତାଣ୍ଡି ପ୍ରମୁଖ ଯୋଗଦେଇ ବିଶ୍ଵ ଏଡ଼ସ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏଡ଼ସ ରୋଗର କାରଣ ଓ ଏହାର ନିରାକରଣ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ପଣ୍ଡା, ମୁଖ୍ୟ ବକ୍ତା ଡ. ଶତପଥି ପ୍ରାଞ୍ଜଳ ଭାବରେ ଅବଗତ କରାଇଥିଲେ । ବେଶେଷ କରି ଛାତ୍ରଛାତ୍ରୀ, ଯୁବପିଢି ଏଡ଼ସ ସମ୍ପର୍କରେ ଅଧିକ ସଚେତନ ହୋଇ ନିଜକୁ ସୁସ୍ଥ ଓ ସୁରକ୍ଷିତ ରଖିବା ସହିତ ଏଡ଼ସ ମୁକ୍ତ ସମାଜ ଗଠନ ଦିଗରେ ଆଗେଇ ଆସିବା ପାଇଁ ଆହ୍ଵାନ ଦେଇଥିଲେ । ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ୨୦୨୫ ନଭେମ୍ବର ଶେଷ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ୧,୪୫୪ ଜଣ ଏଚ ଆଇ ଭି ସଂକ୍ରମିତ ବ୍ୟକ୍ତି ରହିଛନ୍ତି, ସେଥି ମଧ୍ୟରୁ ଭବାନୀପାଟଣା ବ୍ଲକରେ ସର୍ବାଧିକ ୩୩୯ ଜଣ ରହିଛନ୍ତି । ଏହି ଅବସରରେ ଏଡ଼ସ ସଚେତନତା ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏ.ଏନ୍.ଏମ୍. କଲେଜ, ଅନ୍ୟାନ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ବିଭାଗୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଆଇ.ସି.ଟି.ସି.ର ପରାମର୍ଶ ଦାତା ରାମଚନ୍ଦ୍ର ବସନ୍ତିଆ ପରିଚାଳନା କରିଥିବା ବେଳେ ଡି.ଆଇ.ଏସ. ସୁରେଶ ଚନ୍ଦ୍ର ସାହୁ ସହଯୋଗ କରିଥିଲେ । ଶେଷରେ ମାନସ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
Prev Post
Next Post