ଦଶମ ଆୟୁର୍ବେଦ ଦିବସ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଠାରୁ ଭାରତ ସରକାର ସେପ୍ଟେମ୍ବର ୨୩ ତାରିଖକୁ ଆୟୁର୍ବେଦ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଗତ ବର୍ଷ ମାନଙ୍କରେ ଧନ୍ୱନ୍ତରି ଜୟନ୍ତୀକୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଉଥିଲା । ଏହି ବର୍ଷ ଦଶମ ଆୟୁର୍ବେଦ ଦିବସ ସର୍ବଭାରତୀୟ ସ୍ତରରେ ପାଳିତ ହେଉଛି । ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ, ପାଇକମାଲରେ ସେପ୍ଟେମ୍ବର ୧୭ରୁ ୨୩ ପର୍ଯ୍ୟନ୍ତ ଆୟୁର୍ବେଦ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ନୃସିଂହନାଥ ମନ୍ଦିର ପରିସରରେ ଏକ ପଥଚଳନ ଏବଂ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ପ୍ରଶାସକ ମନୋଜ କୁମାର ତ୍ରିବେଦୀ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଲୋକମାନଙ୍କୁ ନାଟକ ମାଧ୍ୟମରେ ଆୟୁର୍ବେଦର ମହତ୍ତ୍ୱ ବୁଝାଇଥିଲେ ଏବଂ ବିବିଧ ଭେଷଜମାନଙ୍କ ଉପାଦେୟତା ଜଣାଇ ବ୍ୟବହାର କରିବାକୁ ନିବେଦନ କରିଥିଲେ । ଶନିବାର ପାଇକମାଲ ବ୍ଲକ ସମ୍ମୁଖସ୍ଥ ମିଶନ ଶକ୍ତି ଅଫିସ ପାଖରେ ମଧ୍ୟ ପଥ ପ୍ରାନ୍ତ ନାଟକ ଉପସ୍ଥାପିତ ହୋଇଥିଲା । ଅଧ୍ୟକ୍ଷ ଜଗବନ୍ଧୁ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଇକମାଲର ଜନସାଧାରଣ ଉପସ୍ଥିତ ରହି ଆୟୁର୍ବେଦ ବିଷୟକ ଜ୍ଞାନ ଆହରଣ କରିଥିଲେ । ଆସନ୍ତା ୨୩ ତାରିଖ ଦିନ ମହାବିଦ୍ୟାଳୟ ପରିସରରେ ଏକ ଫୁଡ଼ ଫେଷ୍ଟିଭାଲ ଆୟୋଜିତ ହେବାକୁ ଯାଉଛି, ଏଣୁ ମହା ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଜନସାଧାରଣଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆୟୁର୍ବେଦ ଆହାର ବିଷୟରେ ଜାଣିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.