ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୧୧ତମ ପ୍ରତିଷ୍ଠା ଦିବସ ସ୍ପାର୍କ- ୨୫ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିବିକ୍ରମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପାୟଲ ଗୁପ୍ତା, ମୁଖ୍ୟ ବକ୍ତା ଭାବେ ବଲାଙ୍ଗିର ଜିଲ୍ଲା ନ୍ୟାୟିକ ସେବା କର୍ତ୍ତୃପକ୍ଷ ଅଧିକାରୀଙ୍କ ସମ୍ପାଦକ ପବିତ୍ରାନନ୍ଦ ପଧାନ, ସମ୍ମାନିତ ଅତିଥି ଭାବରେ ସରକାରୀ ଓକିଲ ବିଶ୍ୱନାରାୟଣ ବହିଦାର, ମୁରିବାହାଲ ଓକିଲ ସଂଘ ଉପସଭାପତି ସୁଦାମ ଚରଣ ବଘାର ଉପସ୍ଥିତ ଥିଲେ । ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଓ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ବିଷୟରେ ତଥା ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପ୍ରତି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରତିଶୃତିବଦ୍ଧ ହୋଇ ନିଜର ଯୋଗଦାନ ଦେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଗୁପ୍ତା ପ୍ରତିଷ୍ଠା ଦିବସ ଗୋଟିଏ ଶିକ୍ଷାନୁଷ୍ଠାନର ଉତ୍କର୍ଷତାକୁ ଦର୍ଶାଇଥାଏ ବୋଲି କହିବା ସହିତ ଛାତ୍ରଛାତ୍ରୀଙ୍କୁ ପୋକ୍ସୋ ଆଇନ ସମ୍ବନ୍ଧରେ ବୁଝାଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଶ୍ରୀ ପଧାନ ଛାତ୍ରଛାତ୍ରୀଙ୍କୁ ପୋକ୍ସୋ ଆଇନର ସଚେତନତା ବାର୍ତ୍ତା ଏବଂ ବିଭିନ୍ନ ଅଧିକାର ସମ୍ପର୍କରେ ବୁଝାଇଥିଲେ । ଏହି ଅବସରରେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଏବଂ ବିଦ୍ୟାଳୟର ପରୀକ୍ଷାଗୁଡ଼ିକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପୀତାମ୍ବର ବେଶ୍ରା, ରିଙ୍କି ହରିପାଲ, ପ୍ରଭାସ ରଞ୍ଜନ ମେହେର, ଆଲୋକ କୁମାର ଦାସ, ସୁନୀଲ କୁମାର ନାୟକ, ହିମାଂଶୁ ଭୋଇ, ରାଜୀବ କୁମାର ପଟେଲ, ରୋଶନ କୁମାର ମିଶ୍ର, ବିଘ୍ନରାଜ ବାରିକ, ଅଜିତ ମହାକୁର, ଶଙ୍କର ରାଉତ, ଅରବିନ୍ଦ ବନଛୋର, ସୁବ୍ରତ କୁମାର ବଗର୍ତି, ଆକାଶ କୁମାର ହରିପାଲ, ସୁନନ୍ଦ ପଧାନ, ଡୋଳାମଣି ବାଗ ଓ ଦିବ୍ୟ ବାରିକ ପ୍ରମୁଖ ସହଯୋଗ କରିଥିବାବେଳେ ଇଂରାଜୀ ଶିକ୍ଷକ ସ୍ୱରୂପ କୁମାର ଠାକୁର ଧନ୍ୟବାଦ ଦେଇଥିଲେ ।
Prev Post