
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି । ସଭାରେ ସମ୍ମାନିତ ଅତିଥିଭାବରେ ଆଲୁମିନୀ ସଦସ୍ୟା ସ୍ନିଗ୍ଧା ପ୍ରଧାନ ମଞ୍ଚାସୀନ ହୋଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାପୁରୁଷମାନଙ୍କର ଅବଦାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଧ୍ୟ ମଞ୍ଚାସୀନ ହୋଇ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ଗୀତ, ଐତିହ୍ୟ, ପରମ୍ପରା, ଯାନିଯାତ୍ରା, ପର୍ବପର୍ବାଣୀ, ସାଧାରଣ ଜୀବନ ସହ କିପରି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇଛି ତାହା ମତ ପ୍ରକାଶ କରିଥିଲେ । ଆଲୁମିନୀ ସଦସ୍ୟ କିରଣ କୁମାର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ ସଭାର ପ୍ରାରମ୍ଭରେ ଅତିଥିମାନେ ଅଗ୍ରପୂଜ୍ୟ ଗଜାନନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରିଥିଲେ । ବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ଦୀପ, ଅନ୍ତରା ଜାଲ, ଝରଣା ସାହୁ, ପ୍ରୀତି ଖର୍ସେଲ, ରୁବୀ ବାଗ, ପ୍ରଜ୍ଞା କୁଦେଇ ଏହି ଅବସରରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ସଭାରେ ପୂଜାରଣି ଦୀପ, ଝରଣା ସାହୁ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭାକୁ ସଂଯୋଜନା କରିଥିଲେ । ଏହି ବର୍ଷ ପ୍ରଥମ କରି ଉଚ୍ଚ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ଦିଆ ହେଉଥିବାରୁ ଛାତ୍ରଛାତ୍ରୀମାନେ ଆଗ୍ରହର ସହ ମାଣ୍ଡିଆ ଲଡୁ ଖାଇ ଶିକ୍ଷକମାନଙ୍କ ସହ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ । ଶେଷରେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ମୀନକେତନ ଦାସ, ସୁରଜ୍ ଖମାରୀ, ଅଙ୍କେତ ଗୋବର୍ଦ୍ଧନ, ଅମିତ୍ ଓ ସମୀର କଠାର ସହଯୋଗ କରିଥିଲେ ।