ଭାରତୀୟ ଯୁବ ହଷ୍ଟେଲ ତରଫରୁ ସେଲ୍ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ସେଲ୍ ପ୍ରତିଷ୍ଠା ଦିବସ ହଷ୍ଟେଲ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଯୁବ ହଷ୍ଟେଲର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆବାହକତ୍ଵ ଓ ଡ଼ା ଦେବସ୍ରିତା ପ୍ରହରାଜଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ସିଜିଏମ୍‌ ହୀରାଲାଲ ମହାପାତ୍ର ମୁଖ୍ୟଅତିଥି, ବ୍ୟବସାୟ ବିଭାଗର ମହାପ୍ରବନ୍ଧକ ଅନୋବିନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ରାଉରକେଲା ଯୁବ ହଷ୍ଟେଲ ନିଜର ସାମାଜିକ ପ୍ରତିବଦ୍ଧତା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆର୍‌ଏସ୍‌ପିର ପ୍ରତ୍ୟେକ କାର୍ଯ୍ୟରେ ସହଯୋଗର ହାତ ବଢାଇ ସେ ନିଜର ଦାୟିତ୍ଵବୋଧର ପରାକାଷ୍ଠା ପ୍ରତିପାଦନ କରିପାରିଛି । ଏହାସହ ସେ ଅନୁଷ୍ଠାନର ପ୍ରତିଷ୍ଠାତା ବସନ୍ତ କୁମାର ମଲ୍ଲିକଙ୍କର ସ୍ମୃତି ଚାରଣ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ ଆର୍‌ଏସ୍‌ପି ହେଉଛି ଆମମାନଙ୍କର ମା’ ସଦୃଶ୍ୟ । ପ୍ରଯୁକ୍ତି ବିଦ୍ୟାର ଜ୍ଞାନକୁ ଉପଯୋଗ କରି ଆର୍‌ଏସ୍‌ପି ଆଜି ଆଗରେ ରହିଛି । ଏହାସହ ସେ ନିଯୁକ୍ତି ଓ ଉନ୍ନତି ଉପରେ ଗୁରୁତ୍ୱାରୋପ କରିବା ସହ ଯୁବ ହଷ୍ଟେଲର କର୍ମକର୍ତ୍ତାଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସାଧୁବାଦ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ବାସୁ କାର୍ଯ୍ୟକ୍ରମର ଆଭିମୁଖ୍ୟ, ସମ୍ପାଦକ ଶ୍ରୀ ବେହେରା ସମ୍ପାଦକୀୟ ବାର୍ତ୍ତା ସହ ସର୍ବ ଭାରତୀୟ ସ୍ତରରେ ରାଉରକେଲା ଯୁବ ହଷ୍ଟେଲ କିପରି ଶ୍ରେଷ୍ଠ ଓ ଉପସଭାପତି ଅମିତାଭ ଠାକୁର ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କେକ୍ କଟାଯାଇ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ହଷ୍ଟେଲର ଉନ୍ନତି କରଣ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ନୀଳମଣି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ କାମିନୀ ମହନ୍ତ ଓ ସାଥୀମାନେ ବନ୍ଦେ ଉତ୍କଳଜନନୀ ଗାନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.