jayashree

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ବାଲିଗୁଡା ସ୍ଥିତ ମିନିଷ୍ଟାଡିୟମଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରେ ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମଧୂନ ପରିବେଷଣ ସହ ସକାଳ ୭ଟାରେ ଟାଉନର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପରେ ପରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଟାଉନରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିରେ ପୂଜା ସହ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ମିନି ଷ୍ଟାଡିଅମ ପରିସରରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରି ସ୍ୱାଧୀନତାର ପରିଭାଷା ଭିନ୍ନ ଭିନ୍ନ ହୋଇଥାଏ ଯାହାକି, ସ୍ୱାଧିନତା ପାଇବା ବହୁତ କଷ୍ଟକର କିନ୍ତୁ ସ୍ୱାଧିନତାକୁ ସାଇତି ରଖିବା, ସ୍ୱାଧିନତାକୁ ସୁରକ୍ଷିତ ରଖିବା ଏବଂ କିଛି ଦିନ ପରେ ସ୍ୱାଧୀନତାକୁ ଆଉ କାହାକୁ ଦେବା ଅଧିକ କଷ୍ଟକର” ବୋଲି ଉପଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ । ଉକ୍ତ ସାମୁହିକ ପ୍ୟାରେଡ଼ରେ ୩୦ ଗୋଟି ପ୍ୟାରେଡ ଦଳ ଭାଗ ନେଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ମଧ୍ୟାହ୍ନରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଥିବା ଅନ୍ତଃରୋଗୀମାନଙ୍କୁ ଫଳ ବଣ୍ଟନ, ସ୍ଥାନୀୟ କାରାଗାରର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ, ବନବାସୀ ସେବା ସମିତିଠାରେ ହିମାଂଶୁ ଶେଖର ଦାସଙ୍କ ପ୍ରଦତ୍ତ ଫଳ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ବନ୍ଧୁମିଳନର ଆୟୋଜନ ହୋଇଥିଲା । ଏତଦ୍‌ ବ୍ୟତୀତ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା । ଏହି ଉତ୍ସବରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ୟଶ ପ୍ରତାପ ଶ୍ରୀମଲଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସ୍କା ପରିଚାଳନା କରିଥିବା ବେଳେ ସହକାରୀ କର୍ମଚାରୀ ଅଭିମନ୍ୟୁ ପ୍ରଧାନ, ରଶ୍ମିରଞ୍ଜନ ମହାରଣା, ତୀର୍ଥବାସୀ ଘଡାଇ, ବ୍ରଜବନ୍ଧୁ ସାହାଣୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.