ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିନୋବା ଉଚ୍ଚ ବିଦ୍ୟାଳୟ ଛତାମଖନା ଠାରେ ବାର୍ଷିକ କ୍ରୀଡା ସମାରୋହ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡା ମହୋତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଉଦ୍ଯାପନି ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବଲାଙ୍ଗିର ବ୍ଲକର ଶିକ୍ଷାଧିକାରୀ ନୀଳମଣି ପଟେଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଛତାମଖନା ଶାଖା ପରିଚାଳକ ଋଷବରାଜ ଗନ୍ତାୟତ ଯୋଗ ଦେଇଥିଲେ । ଏହି ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶକ୍ତିବାଇ ପଣ୍ଡା ପରିଚାଳନା କରିଥିଲେ । ଅତିଥିମାନେ ଛାତ୍ର ଛାତ୍ରୀମାନଙ୍କୁ କ୍ରୀଡା କିପରି ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଆମକୁ ସୁସ୍ଥ ରଖିବା ପାଇଁ କ୍ରୀଡା ଏକ ଭଲ ଅଭ୍ୟାସ ଅଟେ ତାହାକୁ ସରଳ ଭାବେ ବୁଝାଇଥିଲେ । ତେଣୁ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ଉପଯୁକ୍ତ ଧ୍ୟାନ ଦେବା ଉଚିତ । ଭାରତ ସରକାରଙ୍କର ଲୋକାଭିମୁଖି ଯୋଜନା ଖେଲୋ ଇଣ୍ଡିଆ ସମ୍ପର୍କରେ ଅବଗତ କରାଇଥିଲେ । କ୍ରୀଡାରେ ଅଂଶଗ୍ରହଣ କରି ଚମ୍ପିୟାନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଛତାମଖନା ବିଦ୍ୟାଳୟର ଛାତ୍ରୀମାନେ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ ଏବଂ ୱାଲ ମ୍ୟାଗାଜିନରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତା’ ସହିତ ଜେଆରସି ମିଟ୍ରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ କୃତି ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କ୍ରୀଡା ପ୍ରତିଯୋଗିତାକୁ ସୂଚାରୁ ରୂପେ ପରିଚାଳନା କରିଥିବାରୁ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।