ଓଡ଼ିଶା ଆନ୍ତଃ-ବିଶ୍ୱବିଦ୍ୟାଳୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାର ଚତୁର୍ଥ ଦିବସ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏକ ସୁନ୍ଦର ପରିବେଶକୁ ଆଗେଇ ନେଇ ଅତି ଚମତ୍କାର ପରିଚାଳନା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚାଲିଥିବା ଓଡ଼ିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାର ଚତୁର୍ଥ ଦିନର କାର୍ଯ୍ୟକ୍ରମ ଅତି ରୋମାଞ୍ଚକର ଥିଲା । ଭଞ୍ଜ ବିହାର ମାଟିରେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନେ ପ୍ରତିଯୋଗିତା ମାଧ୍ୟମରେ ନିଜ ଦକ୍ଷତାର ପରାକ୍ରମକୁ ଅତି ଉତ୍ତମ ଢଙ୍ଗରେ ଉପଭୋଗ କରୁଛନ୍ତି । ଓଡ଼ିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର ଚତୁର୍ଥ ଦିବସରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ଜଷ୍ଟ ଏ ମିନଟ, ଶାସ୍ତ୍ରୀୟ ନୃତ୍ୟ, ଆଧୁନିକ ନୃତ୍ୟ (ଏକକ) ଏବଂ ସାଧାରଣ ଜ୍ଞାନ (ଅନ୍ତିମ ପର୍ଯ୍ୟାୟ) ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା, ଡ. ମନୋଜ କୁମାର ବେହେରା ଏବଂ ଡ. ସିକତା ଦାଶ, ଡ. ବିଭୁଦତ୍ତ ଆଚରି ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନେ ଚିତ୍ତାକର୍ଷକ ନୃତ୍ୟ ଓ ଗୀତ ପରିବେଷଣ କରିଥିବା ବେଳେ ଓଡିଶାର ଜଣାଶୁଣା କଣ୍ଠଶିଳ୍ପୀ ଅନୁସୟା ନାଥ ଏବଂ ଡ. ଚନ୍ଦନ ଗନ୍ତାୟତ ସଂଗୀତ ପରିବେଷଣ କରିଥିଲେ ଏବଂ ଗୁରୁ ଗଜେନ୍ଦ୍ର ପଣ୍ଡା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ନିମନ୍ତ୍ରିତ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ତଥା ଉଚ୍ଚ ଶିକ୍ଷା ବିଭାଗ ଚେୟାରମ୍ୟାନ, ଷ୍ଟାଣ୍ଡିଙ୍ଗ କମିଟି (୪) ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇଥିଲେ । ପ୍ରତେକ ଦିନ ଭଳି ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହାକୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପ୍ରସ୍ତୁତ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ, ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ସଚିଦାନନ୍ଦ ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଫେବୃଆରୀ ୧୯ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ ଓଡିଶାର ୧୭ଟି ବିଶ୍ୱବିଦ୍ୟାଳୟରୁ ୫୦୩ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରୁଛନ୍ତି । ଫେବୃଆରୀ ୨୪ରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ବିଜେତାମାନଙ୍କୁ ସମ୍ମାନିତ କରାଯିବ ।

Leave A Reply

Your email address will not be published.