jayashree

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ – ୨୦୨୪ ପାଳିତ

  • ଅନ୍ତର୍ଭୁକ୍ତି ଏବଂ ଅଭିଗମ୍ୟତା ଦ୍ୱାରା ଭିନ୍ନକ୍ଷମଙ୍କ ସଶକ୍ତିକରଣ ସମ୍ଭବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ ଠାରେ ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ – ୨୦୨୪ ପାଳିତ ହୋଇଯାଇଛି । ଭିନ୍ନକ୍ଷମଙ୍କ ଅନ୍ତର୍ଭୁକ୍ତି, ଅଭିଗମ୍ୟତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସିଡିଏମ୍‌ଓ ଡ଼ା. ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନର ନିର୍ଦ୍ଦେଶକ ଗୁରୁବକ୍ସ ସିଂ ଯାଗୋଟା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ଡାଲସା ସଚିବ ପବିତ୍ରାନନ୍ଦ ପ୍ରଧାନ ଆଶ୍ରା ଓ ଏସ୍‌ସିଡିର ସେକ୍ରେଟେରୀ ପ୍ରମୁଖ ଉପସ୍ଥିତ ଥିଲେ । ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ଆଗକୁ ବଢ଼ାଇବା ପାଇଁ ସମସ୍ତେ ପ୍ରତିଶ୍ର୍ରୁତିବଦ୍ଧ । ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ନିମନ୍ତେ ସମସ୍ତ ଅଂଶଗ୍ରହଣକାରୀ ଏବଂ ସମର୍ଥକମାନଙ୍କୁ ଅଧିକ ଅନ୍ତର୍ଭୂକ୍ତ କରିବା ତଥା ସୁବିଧାଜନକ ପରିବେଶ ସୃଷ୍ଟି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି ବୋଲି ଉପସ୍ଥିତ ଅତିଥି ମତ ପ୍ରକାଶ କରିଥିଲେ । ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସଭିଙ୍କର ମିଳିତ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିନ୍ନକ୍ଷମଙ୍କୁ ସମାଜର ସବୁ ସ୍ତରରେ ସାମାଜିକ ସୁରକ୍ଷା ଯୋଗାଇ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ବର୍ତ୍ତମାନର ସବୁଠାରୁ ବଡ ଆବଶ୍ୟକତା ବୋଲି ଅତିଥିମାନେ ନିଜର ବାର୍ତ୍ତା ରଖିଥିଲେ । କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ହୋତା ଭିନ୍ନକ୍ଷମଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲାରେ ଚାଲିଥିବା ଯୋଜନା ଯଥା ପେନ୍‌ସନ୍‌ ଯୋଜନା, ଛାତ୍ରବୃତ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଲାପଟପ୍ ଆଦି ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଓ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୪ ପାଳନ ଅବସରରେ ସକାଳ ସମୟରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ ଠାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ନେଇ ସାଂସ୍କୃତିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଶେଷରେ ଦୁଇଟି ବ୍ୟାଟେରୀ ଚାଳିତ ସାଇକେଲ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.