ବିଶ୍ୱ ନଗର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ଵର ନିରନ୍ତର ନଗରାଞ୍ଚଳ ବିକାଶରେ ସହାୟକ ହେବା ତଥା ଦେଶ ମଧ୍ୟରେ ଉଭୟ ସହରୀକରଣ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୩୧ ଅକ୍ଟୋବରରେ “ବିଶ୍ୱ ନଗର ଦିବସ” ପାଳନ କରାଯାଏ । ଜାତିସଂଘର ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଶ୍ଵର ଅଧାରୁ ଅଧିକ ଲୋକ ନଗରାଞ୍ଚଳ ପରିବେଶରେ ବାସ କରନ୍ତି, ଯାହା ୨୦୫୦ ସୁଦ୍ଧା ୭୦ %କୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ୨୦୧୪ରେ ମିଳିତ ଜାତିସଂଘ ସାଧାରଣ ସଭା ପ୍ରତିବର୍ଷ ୩୧ ଅକ୍ଟୋବର ତାରିଖରେ ବିଶ୍ୱ ନଗର ଦିବସ ପାଳନ ଉତ୍ସବ ପ୍ରତିଷ୍ଠା କରି ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ରାଷ୍ଟ୍ର, ମିଳିତ ଜାତିସଂଘ ଅନୁଷ୍ଠାନ, ବିଶେଷ ଭାବରେ ୟୁନାଇଟେଡ଼ ନେସନ୍ସ-ହାବିଟାଟ୍ ବା ମିଳିତ ଜାତିସଂଘ-ଆବାସ, ସମ୍ପୃକ୍ତ ଆନ୍ତର୍ଜାତୀୟ ସଂଗଠନ ସମୁହ, ନାଗରିକ ସମାଜ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଆମନ୍ତ୍ରଣ କରିଥିଲା । ସହରଗୁଡିକର ବିକାଶ ପାଇଁ ଦିନଟି ଉତ୍ସର୍ଗୀକୃତ, ସହରୀକରଣ ସାମାଜିକ ଅନ୍ତର୍ଭୂକ୍ତିର ନୂତନ ରୂପକୁ ସକ୍ଷମ କରିଥାଏ ଯେପରିକି ସେବା ତଥା ନୂତନ ସୁଯୋଗ, ତଥା ବିବିଧତା ମଧ୍ୟରେ ପ୍ରତିଫଳିତ ପ୍ରତିବଦ୍ଧତା, ଇତ୍ୟାଦି । ସ୍ମାର୍ଟ ସହରଗୁଡିକର ବିକାଶ ସହରାଞ୍ଚଳରେ ରହୁଥିବା ସମସ୍ତଙ୍କ ପାଇଁ ଉନ୍ନତ ସେବା ଏବଂ ସ୍ଥାୟୀତ୍ୱ ପାଇଁ ନିର୍ଭରୋକ୍ତି ଉପରେ ନିର୍ଭର କରେ । ସ୍ମାର୍ଟ ସହରଗୁଡିକର ବୈଷୟିକ ବିକାଶରୁ ଉପକୃତ ହୋଇପାରୁଥିବା କେତେକ ବିଷୟ ହେଉଛି ଟ୍ରାଫିକ୍ ପ୍ରବାହକୁ ସୁଦୃଢ କରିବା, ପରିସ୍ଥିତି ଉପରେ ନିର୍ଭର କରି ଜନସାଧାରଣ ପରିବହନ କାର୍ଯ୍ୟସୂଚୀ ଏବଂ ମାର୍ଗଗୁଡିକ ସୁଗମ କରିବା, ଅଧିକ ଦକ୍ଷ ବର୍ଜ୍ୟବସ୍ତୁ ସଂଗ୍ରହ ବ୍ୟବସ୍ଥା, ଖର୍ଚ୍ଚ ହ୍ରାସ କରିବା ପାଇଁ ବିଦ୍ୟୁତ ଶକ୍ତିର ମିତବ୍ୟୟତା, ବିଭିନ୍ନ ପ୍ରଦୂଷଣ ସୂଚକାଙ୍କ ଦ୍ଵାରା ମାପ କରି ଏହାକୁ ନିୟନ୍ତ୍ରଣରେ ରଖିବା, ଇତ୍ୟାଦି । ବିଶ୍ୱ ନଗର ଦିବସ ୨୦୨୪ର ବିଷୟବସ୍ତୁ ହେଉଛି “ନଗରାଞ୍ଚଳରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଭାବରେ କାର୍ଯ୍ୟ କରିବାରେ ଯୁବ ଗୋଷ୍ଠୀଙ୍କ ଅଗ୍ରଣୀ ଭୂମିକା । ଏହି ଥିମ୍ ସହରୀ ଭବିଷ୍ୟତ ଗଠନ କରିବାରେ ଯୁବକମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରେ । ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଏବଂ ସହରାଞ୍ଚଳର ବିକାଶକୁ ପ୍ରୋତ୍ସାହିତ କରିବାରେ ଏହା ଯୁବ-ନେତୃତ୍ୱାଧୀନ ପଦକ୍ଷେପଗୁଡ଼ିକର ଗୁରୁତ୍ୱକୁ ଦର୍ଶାଏ । ପ୍ରମୁଖ ସହରୀ ଆହ୍ଵାନର ମୁକାବିଲା କରି ଏବଂ ଅଭିନବ ସମାଧାନକୁ ପ୍ରୋତ୍ସାହିତ କରି ସହରଗୁଡିକରେ ଜୀବନ ଶୈଳୀରେ ଉନ୍ନତି କରାଯାଇପାରିବ ।

Leave A Reply

Your email address will not be published.