ଆନ୍ତର୍ଜାତୀୟ ଓଜୋନ ସ୍ତର ସୁରକ୍ଷା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ବିଶ୍ୱରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଅପ୍ରତ୍ୟାଶିତ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ସମସ୍ତେ ଚିନ୍ତିତ । ଏଭଳି ସମୟରେ ସକଳ ଶକ୍ତିର ଆଧାର ସର୍ଯ୍ୟଙ୍କର ଅତି ବାଇଗଣି ରଶ୍ମିର ପ୍ରଭାବରୁ ବିଶ୍ୱବାସୀଙ୍କୁ ରକ୍ଷା କରୁଥିବା ଓଜୋନ ଗ୍ୟାସ୍‌ ଆସ୍ତରଣ ଧିରେ ଧିରେ କମିବାରେ ଲାଗିଛି । ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖରେ ପାଳନ ହୋଇଥାଏ ଆନ୍ତର୍ଜାତୀୟ ଓଜୋନ ସ୍ତର ସୁରକ୍ଷା ଦିବସ । କାରଣ ୧୯୮୭ ମସିହାର ଏହିଦିନ କାନାଡ଼ା ଦେଶର ମଣ୍ଟ୍ରିଲଠାରେ ବିଶ୍ୱର ବିଭିନ୍ନ ଦେଶର ନେତୃବୃନ୍ଦ ଏକତ୍ରିତ ହୋଇ ଓଜୋନ୍‌ ସ୍ତର ହ୍ରାସକୁ କମାଇବା ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ଥିଲା ‘ମଣ୍ଟ୍ରିଲ ଚୁକ୍ତିନାମା : ଜଳବାୟୁ ସମ୍ପରିତ ଅଧିକ ସଚେତନତା’ । ଏହି କ୍ରମରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଏହି ଦିବସ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ଓଡ଼ିଆ ଏବଂ ଇଂରାଜୀ ବିଷୟରେ ବକ୍ତୃତା ପ୍ରତିଯୋଗିତା । ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ସମୀର ସୌରଭ ପୃଷ୍ଟିଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଭାଗୀୟ ଅଧ୍ୟାପିକା ରାଧା କୁମାରୀ ଏବଂ ଡ. ଲାରିକା ମହନ୍ତ ଏବଂ ବିଭାଗୀୟ କର୍ମଚାରୀ ରାଜେଶ ବନଛୋର । ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ଓଡ଼ିଆ ବିଭାଗର ମୁଖ୍ୟ ଡ. ସୁଷମା ମୋଦି, ଇଂରାଜୀ ବିଭାଗର ଅଧ୍ୟାପକ ପ୍ରଦୀପ ଟପ୍ପୋ ଏବଂ ଅଧ୍ୟାପିକା ପି. ସୋନାଲୀ ମୋସୁମୀ । ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପରବର୍ତ୍ତୀ ସମୟରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.