ମାଣ୍ଡିଆପଲ୍ଲୀ ସ୍ଥିତ ପ୍ରେମ୍‌ କାର୍ଯ୍ୟାଳୟରେ ହେପି ଓନାମ୍‌ ଦିବସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମାଣ୍ଡିଆପଲ୍ଲୀ ସ୍ଥିତ ପ୍ରେମ୍‌ କାର୍ଯ୍ୟାଳୟରେ ସମାଜରେ ମାନବିକତା, ସମତା ଓ ପ୍ରେମ ପ୍ରତିଷ୍ଠାର ପ୍ରତୀକ ସୁନିଆଙ୍କ ବାମନ ଜନ୍ମ ଓ ୧୪୩୨ ସାଲ ପ୍ରବେଶ ପାଳନ ଅବସରରେ ହେପି ଓନାମ୍‌ ଦିବସ ପାଳିତ ହୋଇଯାଇଛି । ପ୍ରେମର ସଭାପତି ଡ. ଜାକୋବ ଥୁଣ୍ଡିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଯୋଗଦେଇ ବର୍ତ୍ତମାନ ଦେଶରେ ସାମ୍ପ୍ରଦାୟିକ ଶକ୍ତିମାନେ ଶକ୍ତିଶାଳୀ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିବା ସହ ବାମନ ଜନ୍ମର ଇତିହାସ ବର୍ଣ୍ଣନା କରିଥିଲେ । ସଭାପତି ଡ. ଥୁଣ୍ଡିଲ ତାଙ୍କ ଭାଷଣରେ ଓନାମ୍‌ର ସାରତତ୍ତ୍ୱ ବୁଝାଇବା ସହିତ ସମାଜରେ ଶାନ୍ତି, ଶୃଙ୍ଖଳା ଓ ଭାଇଚାରା ମନୋଭାବ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ସମାଜରେ ଦେଖାଦେଇଥିବା ବିଶୃଙ୍ଖଳାକୁ ସବୁ କ୍ଷେତ୍ରରେ ପ୍ରତିହତ କରିବା ପାଇଁ ଆହ୍ୱାନ ଦେଇଥିଲେ । ‘ଓନାମ୍‌’ ଉତ୍ସବ କେରଳରେ ଘରେ ଘରେ ପାଳନ ହୋଇଥାଏ । ଏଥିରେ ସବୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଯୋଗଦେଇ ଭାଇଚାରା ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି । ତେଣୁ ଆଜି ମଧ୍ୟ ଭାରତ ବର୍ଷ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଭାଇଚାରାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରେମ୍‌ର ସମ୍ପାଦକ ଚାକୋ ପୁରୁଭାନାନି, ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ସାମ୍ବାଦିକ ଜୟକୃଷ୍ଣ ହୋତା, ଫାଦର ସଂଜିବ କୁମାର ନାୟକ, ପ୍ରେମ୍‌ର ଲୋକସଂପର୍କ ଅଧିକାରୀ ରତନ ମିଶ୍ର, ଫାଦର ନରେଶ, ସେଣ୍ଟ ଭିନସେଣ୍ଟ ହୋମ୍‌ର ଫାଦର ଜୋଶ, ପ୍ରେମର କର୍ମକର୍ତ୍ତା କୁମାର ପ୍ରଶାନ୍ତ, ସୁଶାନ୍ତ ମହାନ୍ତି, ଶ୍ରୀନିବାସ ରାଓ, ବି. ଶିବ ପ୍ରସାଦ, ଏମ୍‌. ଗୋରେଟି ଜର୍ଜ, ହିମାନୀ ଦାସ, ସୁନିତା ପାତ୍ରଙ୍କ ସମେତ ମୋହନା, ଗୁଣପୁର, ଗୁମ୍ମା, ଦାରିଙ୍ଗିବାଡ଼ିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ସୁଧୀର ଦିଗାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରେମ୍‌ର ଲୋକ ସମ୍ପର୍କ ଅଧିକାରୀ ରତନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସୁସ୍ୱାଦ ଭୋଜନରେ ଆପ୍ୟାୟିତ ହୋଇଥିଲେ ।

Leave A Reply

Your email address will not be published.