ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନର ଦ୍ୱିତୀୟ ଅଧିଷ୍ଠାନ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନର ଦ୍ୱିତୀୟ ଅଧିଷ୍ଠାନ ଦିବସ ବ୍ରାହ୍ମଣୀ କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍‌ର ସଭାପତି ରୋଟାରୀଆନ୍‌ ଡାକ୍ତର ରାମଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତା ଓ ସ୍ମିତାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଏନ୍ ରୋଟାରୀଆନ୍‌ ଆଲାମ ସିଂ ରୁପ୍ରା ମୁଖ୍ୟ ଅତିଥି ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରୀଆନ୍‌ ଡ. ଗୁରିନ୍ଦର ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ୨୦୨୪ -୨୫ ପାଇଁ ସଭାପତି ଭାବେ ପୁନଃ ଡାକ୍ତର ରୋଟାରୀଆନ୍‌ ଆର୍‌ସି ମେହେର ଓ ସାଧାରଣ ସମ୍ପାଦକ ଭାବେ ରୋଟାରୀଆନ୍‌ ଇଂ ଦେବବ୍ରତ ନାୟକ ଗତ ସାଧାରଣ ସମ୍ପାଦକ ରୋଟାରିଆନ୍‌ ଅଶ୍ୱିନୀ କୁମାର ପାତ୍ରଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିବା ସହ ଅନୁଷ୍ଠାନକୁ ସୁଦୃଢ ଓ ସମାଜ ପ୍ରତି ପ୍ରତିବଦ୍ଧତା ରଖି କାର୍ଯ୍ୟକ୍ରମ କରିବା ପାଇଁ ଶପଥ ନେଇଥିଲେ । ମୁଖ୍ୟଅତିଥି ରୋଟାରୀଆନ୍‌ ରୁପ୍ରା ଏହି ଅବସରରେ କହିଲେ ଯେ, ସେବା ଭାଗ୍ୟରେ ଥିଲେ ମିଳେ । ତେଣୁ ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟରେ କ୍ଲବର ସମସ୍ତ କର୍ମକର୍ତ୍ତା କିଭଳି ନିଃସ୍ଵାର୍ଥପର ଭାବେ ସମାଜ ପାଇଁ କରିପାରିବେ ସେନେଇ ସେ ଆହ୍ୱାନ ଦେଇଥିଲେ । ଏହାସହ ରୋଟାରୀ କ୍ଲବ୍ ଅର୍ବାନ ସ୍ଥାପନର ୪ ମାସ ମଧ୍ୟରେ ଜିଲ୍ଲାରେ ଯେଭଳି କାର୍ଯ୍ୟକ୍ରମ କରୁଛି ତାହା ସମସ୍ତଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ରୋଟାରୀଆନ୍‌ ଡ. ସିଂହ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଜୀବନରେ ଲକ୍ଷ୍ୟ ରଖି ନିଷ୍ଠା ସହ କଠୋର ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିଥାଏ । ଏହା ସହ କ୍ଲବର ଉତ୍ତରୋତ୍ତର କାମନା କରିଥିଲେ । ଏହି ଅବସରରେ ସଭାପତି ରୋଟାରୀଆନ୍‌ ଡା. ମେହେର ତାଙ୍କ ବକ୍ତବ୍ୟରେ ଜୀବନରେ ସଫଳତା ହିଁ ଏକ ପରିବାର, ସମାଜ ତଥା ଦେଶ ସମୃଦ୍ଧିର ପ୍ରତୀକ ହୋଇଥାଏ ବୋଲି କହିଥିଲେ । ଏଥିସହ ସେବା ହିଁ ପରମ ଧର୍ମ ଓ ସେବାରୁ ହିଁ ସୁଖ, ଶାନ୍ତି, ଆତ୍ମତୃପ୍ତି, ମୋକ୍ଷ ପ୍ରାପ୍ତି ଓ ନାରାୟଣ ପ୍ରାପ୍ତି ହୋଇଥାଏ ବୋଲି ସେ ମତ ରଖିଥିଲେ । ସେହିପରି କ୍ଲବ ପକ୍ଷରୁ କିପରି ସହର ତଥା ତଳି ଅଞ୍ଚଳରେ ବସବାସ କରୁଥିବା ଅସହାୟ ଓ ଗରିବ ଲୋକଙ୍କୁ ନିଃଶୁଳ୍କ ଚକ୍ଷୁ ପ୍ରତିରୋପଣ କରାଯାଇ ପାରିବ, ସେନେଇ କାର୍ଯ୍ୟ କରିବା ସହ ସମସ୍ତ ରୋଟାରୀଆନ୍‌ଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ୪ ଜଣ ନୂତନ ସଦସ୍ୟଙ୍କୁ ପ୍ରମାଣପତ୍ର, ରୋଟାରୀ ପିନ୍ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ୍‌ ଅଶ୍ୱିନୀ କୁମାର ପାତ୍ର, ମଞ୍ଜୁରାଣୀ ମେହେର, ଅଞ୍ଜୁ କକ୍କଡ, କେ. କେ. ବର୍ମା, ଡି. ମୋହନ ରାଓ, ପ୍ରାଞ୍ଜଳୀ ନାଗ, ରବିକାନ୍ତ ସିଂ, ଉଷା ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ଉଦିତ କୁମାର ସାହୁ ଓ ଆଲୋକ ଗୋୟେଲ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ସମ୍ପାଦକ ରୋଟାରିଆନ ଦେବବ୍ରତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.