ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡ଼ିଶାର ଗର୍ବ ଗୌରବ ତଥା ସ୍ମରଣୀୟ ଦିବସ ପବିତ୍ର ଉତ୍କଳ ଦିବସ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସୌଜନ୍ୟରେ ନୂତନ ସମ୍ମିଳନୀ କକ୍ଷଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆନୁଷ୍ଠାନିକ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର, ବରପୁତ୍ରମାନଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରୁ ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାନ ହୋଇଥିଲା । ଭୁବନେଶ୍ୱର କିସ୍ ବିଶ୍ଵବିଦ୍ୟାଳୟର ଗୋପବନ୍ଧୁ ଚେୟାର ତଥା ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବିଜୟାନନ୍ଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତବର୍ଷ ତଥା ସମଗ୍ର ବିଶ୍ୱକୁ ପ୍ରାଚୀନଯୁଗ ଠାରୁ ଆରମ୍ଭ କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଏବଂ କୁଳସଚିବ ସଚ୍ଚିଦାନନ୍ଦ ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉତ୍କଳୀୟ ପରମ୍ପରା, ଭାଷା, ସଂସ୍କୃତି ସହିତ ସ୍ଵତନ୍ତ୍ର ପ୍ରଦେଶ ଗଠନରେ ବଳିଦାନ ଦେଇଥିବା ବୀର ଓଡ଼ିଆଙ୍କ ଗୌରବର ଗାଥା ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟ ସମୀକ୍ଷକ ଡକ୍ଟର କୁଳମଣି ଓଝା ଯୋଗଦେଇ ଭାଷା ଭିତ୍ତିକ ରାଜ୍ୟ ତଥା ସ୍ଵତନ୍ତ୍ରପ୍ରଦେଶ ଗଠନରେ ଓଡ଼ିଶାର ସଂଘର୍ଷମୟ ଗାଥାକୁ ଉତ୍ଥାପନ କରିଥିଲେ । ସଭାଟିରେ ସମସ୍ତ ସ୍ନାତକୋତ୍ତର ବିଭାଗର ବରିଷ୍ଠ ପ୍ରଫେସର, ସହଯୋଗୀ ପ୍ରଫେସର, ସହକାରୀ ପ୍ରଫେସରଙ୍କ ସମେତ ଉପ-କୁଳସଚିବ ଡକ୍ଟର ବାବୁଜୀ ସାମଲ, ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସତ୍ୟନାରାୟଣ କୁଣ୍ଡୁ, ସହ-ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସତ୍ୟ ପାତ୍ର, ବିତ୍ତ ନିୟନ୍ତ୍ରକ ଧଙ୍ଗଡା ମାଝୀ, ବିଶ୍ଵବିଦ୍ୟାଳୟର ସମସ୍ତ ଅଣ-ଶିକ୍ଷକ କର୍ମଚାରୀ, ଶତାଧିକ ଛାତ୍ରଛାତ୍ରୀ ଏବଂ ଗବେଷକ ଗବେଷିକା ପ୍ରମୁଖ ଉପସ୍ଥିତ ଥିଲେ । ସଭାକାର୍ଯ୍ୟର ଶେଷରେ ଡକ୍ଟର ସମୀର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।