ବିଶ୍ଵ କର୍କଟ ଦିବସରେ ବରଗଡ଼ ମହିଳା ସମିତିର ଦାବି, ମାଗଣାରେ କ୍ୟାନସର ଭେକସିନ ଦିଆଯାଉ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ମହିଳାମାନଙ୍କ ମଧ୍ୟରେ କର୍କଟ ଜନିତ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ଗର୍ଭାଶୟ କର୍କଟ । ଯାହାକି ମହିଳାଙ୍କ କ୍ଷେତ୍ରରେ ପ୍ରାୟ ୨୩.୬୬% ପ୍ରମୁଖ କର୍କଟ ରୋଗର କାରଣ । ତଥ୍ୟ ଆଧାରରେ ଓଡ଼ିଶାରେ ଗର୍ଭାଶୟ କର୍କଟ ରୋଗର ମୃତ୍ୟୁ ହାର ପ୍ରତି ଏକ ଲକ୍ଷ ମହିଳାଙ୍କ ମଧ୍ୟରେ ୪.୨୨ ରେକର୍ଡ କରାଯାଇଥିବା ବେଳେ ମୃତ୍ୟୁହାର ବଢିବାର ପ୍ରମୁଖ କାରଣ ହେଉଛି ବିଳମ୍ବିତ ଚିହ୍ନଟ । ଏଥିରୁ ମହିଳା ମାନଙ୍କୁ ରକ୍ଷା କରିବା ପାଇଁ ମାଗଣାରେ କ୍ୟାନସର ଭେକସିନ ହ୍ୟୁମାନ୍ ପାପିଲୋମାଭାଇରସ୍ (ଏଚପିଭି) ଟୀକାକରଣ କାର୍ଯ୍ୟକ୍ରମ ରାଜ୍ୟ ସରକାର ଗ୍ରହଣ କରିବାକୁ ବରଗଡ଼ ମହିଳା ସମିତି ଦାବି ଜଣାଇଛି । ଫେବୃଆରୀ ୪, ବିଶ୍ଵ କର୍କଟ ଦିବସ ଅବସରରେ ସମିତିର ବରିଷ୍ଠ ସଦସ୍ୟା ମମତା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କର୍କଟ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରାଯିବା ସହ କର୍କଟ ଆକ୍ରାନ୍ତ ପ୍ରତି ଶ୍ରଦ୍ଧାଶୀଳ ମନୋଭାବ ପୋଷଣ ପାଇଁ ଆହ୍ଵାନ ଦିଆଯାଇଛି । ସମିତିର ସମ୍ପାଦିକା ସୁଧାଂଶୁବାଳା ଦାଶ ଆଗତ କରିଥିବା ପ୍ରସ୍ତାବରେ ଭାରତର ପ୍ରଥମ ରାଜ୍ୟ ଭାବରେ ତାମିଲନାଡୁ ଭଳି ଓଡ଼ିଶାରେ ୧ରୁ ୧୪ ବର୍ଷ ବୟସର ଝିଅମାନଙ୍କ ପାଇଁ ମାଗଣା ହ୍ୟୁମାନ୍ ପାପିଲୋମାଭାଇରସ୍ ଟୀକାକରଣ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି । ମୁଖ୍ୟତଃ କ୍ୟାନସର ପ୍ରବଣ ଜିଲ୍ଲା ଭାବରେ ପରିଚିତ ବରଗଡ଼ ଜିଲ୍ଲାରୁ ଏହାର ଶୁଭାରମ୍ଭ କରାଯିବାକୁ ନିବେଦନ କରାଯାଇଛି । ଉଲ୍ଲେଖନୀୟ ଯେ, ଓଡ଼ିଶା ଭଳି ତାମିଲନାଡୁରେ ମଧ୍ୟ ଗର୍ଭାଶୟ କର୍କଟ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା, ଯାହା ମହିଳାମାନଙ୍କ ମଧ୍ୟରେ ଦ୍ୱିତୀୟ ସବୁଠାରୁ ସାଧାରଣ କର୍କଟ ଭାବରେ ସ୍ଥାନ ପାଇଛି । ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ ପ୍ରତି ଏକ ଲକ୍ଷ ମହିଳାଙ୍କ ମଧ୍ୟରେ ମୃତ୍ୟୁହାର ପ୍ରାୟ ୫.୩ ରୁ ୧୧.୫୬ ଅଟେ । ଏହା ରାଜ୍ୟର ସମସ୍ତ ମହିଳା କର୍କଟ ମାମଲା ମଧ୍ୟରୁ ୧୬.୧% ଅଟେ ଏବଂ ମୃତ୍ୟୁହାର ପ୍ରାୟତଃ ଉନ୍ନତ ପର୍ଯ୍ୟାୟ ନିର୍ଣ୍ଣୟ ସହିତ ଜଡିତ । ଓଡ଼ିଶାର ସ୍ଥିତି ତାମିଲନାଡୁ ସହ ପାଖାପାଖି ସମାନ ରହିଛି । ଏଭଳି ସ୍ଥିତିରେ ଓଡ଼ିଶାରେ ମଧ୍ୟ ତାମିଲନାଡୁ ଭଳି ରାଜ୍ୟର ପ୍ରତ୍ୟେକ ଝିଅଙ୍କୁ ମାଗଣା ଭେକସିନ ପ୍ରଦାନ ଉପରେ ବରଗଡ଼ ମହିଳା ସମିତି ଗୁରୁତ୍ୱାରୋପ କରିଛି । ଆଲୋଚନାରେ ସୁନିତା କର, ବିଜୟଲକ୍ଷ୍ମୀ ଦୋରା, ବାସନ୍ତୀ ଗଡତିଆ, ଇନ୍ଦ୍ରାଣୀ ଶତପଥୀ, ସାଲୋନି ଦାସ, କବିତା ଦେବତା, ସଂଗୀତା ଗୁପ୍ତା, ପଦ୍ମିନୀ ସାହୁ, ସୁଜାତା ପଣ୍ଡା, ମଞ୍ଜୁ ପ୍ରଧାନ, ଅନିମା ଚକ୍ରବର୍ତ୍ତୀ, ଦିବ୍ୟକାନ୍ତି ଭୋଇ, ରିନୁ ପତି, ମୀନା ପଣ୍ଡା, ଗୀତା ପାଢ଼ୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.