
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତ ରତ୍ନ ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଟିଟିଲାଗଡ଼ ସହରର ଜୟ ଭୀମ ଜୟ ଭୀମ ନାରାରେ କମ୍ପି ଉଠିଥିଲା । ଛକୋର ଗଙ୍ଗା ଘାସି ସମାଜ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଥିଲା । ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ରାୟପୁରରୁ ଭୀନା ସେନ୍ଦ୍ରି, ଛକୋର ଗଙ୍ଗା ଘାସି ସମାଜର ସଭାପତି ବିନୋଦ ଭରାସାଗର, ସମ୍ପାଦକ ସହଦେବ ସିନ୍ଦୁର, ଉପ ସଭାପତି ହୃଦାନନ୍ଦ ସୁନା ଓ ଅନ୍ୟ ଅତିଥି ମଞ୍ଚାସୀନ ହେବା ପରେ ପ୍ରଥମେ ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଅବସରରେ ବାବା ସାହେବ ଆମ୍ବେଦକରଙ୍କ ଜୀବନୀ ବିଷୟରେ ଉପସ୍ଥିତ ଅତିଥି ମାନେ ଆଲୋକପାତ କରିଥିଲେ । ସେହିପରି ଜୟ ଭୀମ ପାର୍ଟି ତରଫରୁ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏଥିରେ ଯୁବନେତା ବିରେନ୍ଦ୍ର ବାଗ, ନରସିଂହ ସିଂ ଓ ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ । ଉଭୟ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ସାମିଲ ହୋଇଥିଲେ । ଏହି ଅବସରରେ ଟିଟିଲାଗଡ଼ କେଜିଏନ କମିଟି ପକ୍ଷରୁ ସ୍ଥାନୀୟ ଥାନା ଛକ ଠାରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ସର୍ବ ସାଧାରଣଙ୍କୁ ଥଣ୍ଡା ପାନୀୟ ସରବତ ବଣ୍ଟନ କରାଯାଇଥିଲା । ପଥଚାରୀ, ବାଇକ ଆରୋହୀ ତଥା ରେଲିରେ ଆସୁଥିବା ସମସ୍ତ ଜନସାଧାରଣଙ୍କୁ ଥଣ୍ଡା ସରବତ ବାଣ୍ଟି ଏକ ଭାଇଚାରାର ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଅବସରରେ ଜିଏସ୍ପି କ୍ଲବର ପୂର୍ବତନ ସଭାପତି ଆଲୋକ ଦାସ ମଧ୍ୟ ସାମିଲ ହୋଇ ଲୋକଙ୍କୁ ସରବତ ବଣ୍ଟନ କରିଥିଲେ । ଏହି ସେବା କାର୍ଯ୍ୟରେ କେଜିଏନ କମିଟିର ସଭାପତି ହିଫଯୁଲ ରେହେମାନ, ସମ୍ପାଦକ ଆବାସ ଖାଁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ । ସେହିପରି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ମଧ୍ୟ ଥଣ୍ଡା ପାନୀୟ ସମସ୍ତ ଲୋକଙ୍କୁ ବଣ୍ଟନ କରାଯାଇଥିଲା ।