୩ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଲେ ବରିଷ୍ଠ କିରାଣୀ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରର ଜଣେ ପେନସନ ଉପଭୋକ୍ତାଙ୍କ ପେନସନ ବାବଦ କାଗଜପତ୍ର ଠିକ କରାଇଦେବା ନିମନ୍ତେ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଦ୍ୱାରା ଗିରଫ ହୋଇଛନ୍ତି ଖଣ୍ଡପଡ଼ା ଉପ କୋଷାଗାରର ବରିଷ୍ଠ କିରାଣୀ ସରୋଜ କୁମାର ସାହୁ । ଭିଜିଲାନ୍ସ ଟିମ ସରୋଜଙ୍କୁ କାର୍ଯ୍ୟାଳୟ ପରିସରରେ କାବୁ କରି ଧରିବା ସହ ତାଙ୍କ ଠାରୁ ୩ ହଜାର ଟଙ୍କା ଜବତ କରିଥିବା ଜଣାଯାଇଛି । ପରେ ଭିଜିଲାନ୍ସ ଟିମ ଖଣ୍ଡପଡ଼ା ସହରର ୧ ନଂ ୱାର୍ଡସ୍ଥିତ ସରୋଜଙ୍କ ବାସଗୃହ ସମେତ କାର୍ଯ୍ୟାଳୟରେ ଅଚାନକ ଚଢାଉ କରି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । ପ୍ରକାଶଥାଉ କି ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଏବେ ଅବସରଗ୍ରହଣ କରିଥିବା ମଙ୍ଗଳ ମୁର୍ମୁଙ୍କ ପେନସନ ବାବଦ କାଗଜପତ୍ର ଠିକ କରାଇ ଦେବା ପାଇଁ ଖଣ୍ଡପଡ଼ା ଉପ କୋଷାଗାରର ବରିଷ୍ଠ କିରାଣୀ ସରୋଜ ତାଙ୍କୁ ଲାଞ୍ଚ ମାଗିଥିଲେ । ଏପରିକି ଟଙ୍କା ନଦେଲେ ତାଙ୍କ କାମ କରିବେ ନାହିଁ ବୋଲି ରୋକଠୋକ ଶୁଣାଇବା ପରେ ପେନସନ ଉପଭୋକ୍ତା ଜଣକ ଏ ସଂର୍ପକରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଅଭିଯୋଗ ଆଧାରରେ ଭୁବନେଶ୍ୱର ଓ ନୟାଗଡ ଭିଜିଲାନ୍ସ ଟିମ ସୋମବାର ମିଳିତ ଭାବେ ଚଢ଼ାଉ କରିଥିବା ସୂଚନା ମିଳିଛି । ଏ ସଂର୍ପକରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଭିଜିଲାନ୍ସ ଟିମ ସରୋଜକୁ ଭୁବନେଶ୍ୱର ନେଇ ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.