ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଖବର ଶୁଣି ସୋମବାର ଛାତ୍ରୀଛାତ୍ର ମାନେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରାଇ ଦେଇ ନଥିଲେ । ସ୍କୁଲ ଗେଟରେ ତାଲା ପକାଇ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମେତ ସ୍କୁଲ ପରିଚାଳନା କମିଟି ବୃନ୍ଦ । ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କ ସସ୍ପେଣ୍ଡ ଅର୍ଡର ପ୍ରତ୍ୟାହାର କରିବା ସହ ପୁଣି ନୋଡାଲ ସ୍କୁଲରେ ନିଯୁକ୍ତ କରିବାକୁ ଜିଦ୍ରେ ଅଟଳ ଅଭିଭାବକ ଓ ଛାତ୍ରୀଛାତ୍ର । ଆମକୁ ଦରକାର ଆମ ପ୍ରଧାନ ଶିକ୍ଷକ । ପ୍ରଧାନ ଶିକ୍ଷକ ନ ଆସିଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାର୍ଥୀ । ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଆମର ଗଣିତ ଓ ଇଂଲିଶ ସବଜେକ୍ଟ ନେଇଛନ୍ତି ଆମକୁ ଭଲ ଭାବେ ପଢ଼ାଇବା ସହ ବୁଝାଉଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଦିନ ଦୁଇଟା ପର୍ଯ୍ୟନ୍ତ ଧାରଣାରେ ପିଲାମାନେ ବସିଥିଲେ । ଏବିଇଓ ଶ୍ରୀମତୀ ସଂଯୁକ୍ତା ବେହେରା ଅଭିଭାବକମାନଙ୍କୁ ବୁଝାସୁଜା କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିବା ଦେଖିବାକୁ ମିଳିଥିଲା । ପରିଚାଳନା କମିଟି ଏବଂ ଅଭିଭାବକ ଏ ସମ୍ପର୍କରେ ଏବିଇଓ ବିଜୟ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରେ ସେ ଭୁବନେଶ୍ୱରରେ ଥିବା ସୂଚନା ମିଳିଥିଲା । ଆସନ୍ତାକାଲି ଉପରୋକ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ନିସ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ମଧ୍ୟାହ୍ନରେ ଚାପା ଉତ୍ତେଜନା ଦେଖାଦେଇଥିଲା ।