ଓଡ଼ିଶା ଗ୍ରାମ୍ୟ ନିର୍ମାଣ ଅସ୍ଥାୟୀ କର୍ମଚାରୀ ସଂଘର ଧାରଣାକୁ ଏଚ୍‌ଏମ୍‌ଏସ୍‌ର ସମର୍ଥନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଗ୍ରାମ୍ୟ ନିର୍ମାଣ ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ସ୍ଥାନୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲୁ ରହିଥିବା ଧର୍ମଘଟ ଓ ଧାରଣାକୁ ରାଜ୍ୟ ହିନ୍ଦ୍‌ ମଜଦୁର ସଭାର ଉପସଭାପତି ରବି ରଥ ସମର୍ଥନ କରି ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଦାବୀ କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ, ଦୀର୍ଘ ୨୯ ବର୍ଷ ଧରି ଓଡ଼ିଶାର ଗ୍ରାମ୍ୟ ନିର୍ମାଣ ବିଭାଗର ବିଭିନ୍ନ ମଣ୍ଡଳ, ସବଡିଭିଜନ ସ୍ତରରେ ପ୍ରାୟ ଏକ ହଜାର ଅସ୍ଥାୟୀ କର୍ମଚାରୀ କ୍ରୀତଦାସ ଭଳି କାର୍ଯ୍ୟ କରି ଆସୁଛନ୍ତି । ବିଭାଗୀୟ ଅଧିକାରୀମାନେ ଏ ସମ୍ପର୍କରେ ସମସ୍ତ ବିଷୟ ଅବଗତ ଥାଇ ସୁଦ୍ଧା ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁନାହାନ୍ତି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଅସ୍ଥାୟୀ କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବାରେ ସରକାର ଅବହେଳା ପ୍ରଦର୍ଶନ କରି ଚାଲିଛନ୍ତି । ରାଜ୍ୟର ଜଣେ ସର୍ବୋଚ୍ଚ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟ କରୁଥିବା ବେଳେ ନିରୀହ କର୍ମଚାରୀମାନଙ୍କୁ ସର୍ବନିମ୍ନ ମଜୁରୀ ଦେବାରେ ମଧ୍ୟ ସରକାର ବିଫଳ ହୋଇଥିବାରୁ ଉପସଭାପତି ଶ୍ରୀ ରଥ ସମାଲୋଚନା କରିଛନ୍ତି । ୧୨/୪/୧୯୯୩ ପରଠାରୁ କାର୍ଯ୍ୟ କରୁଥିବା ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରି ସରକାରୀ ମାନ୍ୟତା ଦିଆଯିବା, ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୧୯୯୩ ମସିହା ଠାରୁ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମସ୍ତ ବକେୟା ପ୍ରଦାନ କରିବା, ଏହି କର୍ମଚାରୀମାନଙ୍କୁ ବିନା ଅନୁମତିରେ କାର୍ଯ୍ୟରୁ ଅନ୍ତର ନ କରିବା, କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସବିଶେଷ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିବାକୁ ସରକାର ନିର୍ଦ୍ଦେଶନାମା କରନ୍ତୁ ବୋଲି କର୍ମଚାରୀ ସଂଘର ସଭାପତି ନାରାୟଣ ଜେନା, ସମ୍ପାଦକ କେଦାର ନାଥ ମଲ୍ଲିକ ଦାବୀ କରିଛନ୍ତି । ଦାବୀ ପୂରଣ ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ଉଭୟେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.