ମନରେଗା ଯୋଜନାରେ ପାରିଶ୍ରମିକ ମିଳିବା ଦାବୀରେ ଶ୍ରମିକମାନଙ୍କ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରୀ ଦାଦନ ଶ୍ରମିକ ପ୍ରଥା ରୋକିବା ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ଶ୍ରମିକମାନଙ୍କୁ ଶହେ ଦିନର କାମ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଶ୍ରମିକ ମାନଙ୍କୁ ଠିକ୍ ସମୟରେ ପାରିଶ୍ରମିକ ଯୋଗାଇ ଦେବାର ନିୟମ ରହିଥିବା ବେଳେ ୨ ମାସରୁ ଅଧିକ ଦିନ ହେବ ପାରିଶ୍ରମିକ ମିଳିନଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଦର୍ଲିପାଲି ପଞ୍ଚାୟତ ଗୋଡଭଙ୍ଗା ଗ୍ରାମର ଶ୍ରମିକ ମାନେ ମନରେଗା ଯୋଜନାରେ ଟେଜ୍ ଗାତ ଖୋଳିବା କାମ କରିବା ପାଇଁ ଗାଁ ସାଥୀ ଶ୍ରମିକମାନଙ୍କୁ କାମରେ ଲଗାଇଥିଲେ । ହେଲେ ୨ ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଶ୍ରମିକ ମାନେ ପାରିଶ୍ରମିକ ପାଇନଥିଲେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଯୋଗୁଁ ଶେଷରେ ଶତାଧିକ ଶ୍ରମିକ ମାନେ ଏକତ୍ରିତ ହୋଇ ପାରିଶ୍ରମିକ ମିଳିବା ଦାବୀରେ ବେଳପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପସ୍ଥିତ ଥିବାରୁ ଦୀର୍ଘ ସମୟ ଧରି ବ୍ଳକ କାର୍ଯ୍ୟାଳୟ ଆଗରେ ଭୋକ ଶୋଷରେ ଶ୍ରମିକ ମାନେ ଶୋଇ ରହିଥିଲେ । ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପହଞ୍ଚି ଦାବୀପତ୍ର ଗ୍ରହଣ କରିବା ସହ ତଦନ୍ତ କରି ଯଥା ଶୀଘ୍ର ପାରିଶ୍ରମିକ ଯୋଗାଇ ଦେବାର ପ୍ରତିଶୃତି ଦେବା ପରେ ଶ୍ରମିକମାନେ ଧାରଣାରୁ ଓହରି ଯାଇଥିଲେ ।

Leave A Reply

Your email address will not be published.